(ଭୁବନେଶ୍ୱର) : ବାତ୍ୟା ପ୍ରଭାବରେ ତିନି ଦିନ କୋହଲା ପାଗ ଥିବାରୁ ଟିକେ ଥଣ୍ଡା ଅନୁଭୂତ ହେଉଥିଲା। ଆଜି ଅପରାହ୍ଣରୁ ପାଗ ବଦଳିଛି ଏବଂ ଥଣ୍ଡା ଉଭାନ୍ ହେବା ଆରମ୍ଭ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାଦଲ ପୂରା ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଅର୍ଥାତ୍ ରାତିର ତାପମାତ୍ରାର ସ୍ବାଭାବିକ ସ୍ଥିତିକୁ ଫେରିପାରେ। ଏପଟେ ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।
ସୂଚନାନୁଯାୟୀ , ସାରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ବର୍ତ୍ତମାନ ସମୟରେ ଫୁଲବାଣୀର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୯.୨ ଡିଗ୍ରି ରହିବା କଥା। ମାତ୍ର ତାହା ୧୭ ଡିଗ୍ରିରେ ରହିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୧୩.୬, ୧୧.୨ ଡିଗ୍ରି ରହିବା କଥା। ଏବେ ରହିଛି ୧୭ ଡିଗ୍ରି। ଭୁବନେଶ୍ବର ତାପମାତ୍ରା ୧୫.୯ ଡିଗ୍ରି ରହିବା ସ୍ଥାନରେ ୧୯.୫ ଡିଗ୍ରି, କଟକର ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରି ବଦଳରେ ୧୯ ଡିଗ୍ରି, ସମ୍ବଲପୁରର ୧୨.୨ ଡିଗ୍ରି ରହିବା ବଦଳରେ ୧୯.୨, ବଲାଙ୍ଗୀରରେ ୧୦.୯ ସ୍ଥାନରେ ୧୯ ଡିଗ୍ରି ରହିଛି।