(ବରଗଡ଼/ଚିତ୍ତରଞ୍ଜନ ସାହୁ): ରାଜସ୍ଥାନର କୋଟାରେ ଅଟକି ରହିଥିବା ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଳାର ଛାତ୍ରଛାତ୍ରୀ ବରଗଡ଼ ପହଞ୍ଚିଛନ୍ତି । ରାଜସ୍ଥାନର କୋଟାରୁ ଶୁକ୍ରବାର ଅପରାହ୍ନରେ ମୋଟ ୩୦ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ସ୍ୱତନ୍ତ୍ର ବସ ଆଜି ସକାଳ ସାଢେ ଛଅଟାରେ ବରଗଡ଼ ହଲଦିପାଲି ଛକଠାରେ ପହଞ୍ଚିଛି ।
କୋଟା ବସଟି ପହଞ୍ଚି ବା ପରେ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବରଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମେଡ଼ିକାଲ ଟିମ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହି ବସରେ ବରଗଡ଼ ଜିଲ୍ଳାର ୧୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଳାର ୬ ଜଣ ଏବଂ ଦୁଇ ଜଣ ଅଭିଭାବକ ତଥା ବସର କର୍ମଚାରୀ ଥିଲେ ।
ଝାରସୁଗୁଡ଼ା ଜିଲ୍ଳାର ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ଏକ ସ୍ୱତନ୍ତ ବସ ଆସିଥିବା ବେଳେ ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରୁ କାର ତଥା ମୋଟର ସାଇକେଲରେ ସେମାନଙ୍କ ପିଲାଙ୍କୁ ନେବା ପାଇଁ ଆସିଥିଲେ । ଯେହେତୁ ଏମାନେ ରାଜ୍ୟ ବାହାରୁ ଆସିଛନ୍ତି ଏମାନଙ୍କ ପୁରା ପରିବାର ଏକାନ୍ତ ବାସରେ ରହିବା କଥା ! ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କ ପସନ୍ଦ ଅନୁସାରେ ସମସ୍ତଙ୍କୁ ୧୪ ଦିନିଆ ହୋମ କ୍ୱରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ।
