ଭୁବନେଶ୍ୱର:କେନ୍ଦ୍ରରେ ମୋଦି ସରକାର ଆସିବା ପରେ ବିଗତ ୬ ବର୍ଷରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘଦିନର ଅବହେଳାକୁ ଦୂର କରି ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁଁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଧରି ଅଟକି ରହୁଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ରାଜ୍ୟର ଏପରି ସ୍ଥିତି ଥିବା ବେଳେ ମାନ୍ୟବର ବାଚସ୍ପତିଙ୍କ ନେତୃତ୍ୱରେ ଗଠିତ ଗୃହ କମିଟିରେ ଶାସକ ବିଜେଡିର ଆଭିମୁଖ୍ୟ ସତ୍ୟ ଓ ତଥ୍ୟ ଆଧାରିତ ନୁହେଁ ବରଂ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଭଳି ହୀନ ଉଦ୍ୟମ ବୋଲି ରାଜ୍ୟ ବିଜେପିର ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗୃହ କମିଟି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଓଡିଶାର ଦାବି ଜଣାଇବା ପ୍ରସଙ୍ଗରେ ବିଜେପି ପକ୍ଷରୁ ରେଳମନ୍ତ୍ରୀ ପିୟୂଷ ଗୋଏଲ ୧୫ ଜୁନ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କୁ ଚିଠି ଲେଖି ଓଡିଶାରେ ରେଳ ପ୍ରକଳ୍ପ ଆଗକୁ ଯିବା ମାମଲାରେ ଥିବା ସମସ୍ୟା ଗୁଡିକର ବିସ୍ତୁତ ଆଲୋଚନା କରିଥିଲେ । ୧୦ ବର୍ଷର ଉପା ସରକାରରେ ଓଡିଶାକୁ ମାତ୍ର ୪୨୩୨ କୋଟି ଟଙ୍କା ଦିଆଯାଇଥିଲା । ଅନ୍ୟପଟେ ମୋଦିି ସରକାରରେ ୬ ବର୍ଷରେ ମୋଟ ୨୯ ହଜାର ୧୧୨ କୋଟି ଟଙ୍କା ରେଳ ବଜେଟରେ ଅନୁଦାନ ମିଳିଛି । ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ୨୦୧୯-୨୦ରେ ଏବାବଦକୁ ୪ ହଜାର ୫୯୩ କୋଟି ଟଙ୍କା ମିଳିଥିଲା । ଏହା ସହ ୨୪୧ କିମି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ଅନୁଦାନ ମିଳିବ । ନୀତି ଆୟୋଗର ମଞ୍ଜୁରି ପରେ ଆଗାମୀ ଦିନରେ ଏହି ଅର୍ଥ ମିଳିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହାଛଡା ଖୋର୍ଦ୍ଧା-ବଲାଙ୍ଗିର, ହରିଦାସପୁର-ପାରାଦୀପ, ତାଳଚେର-ବିମଳାଗଡ, ଜାୟପୁର-ମାଲକାନଗିରି ରେଳପଥ, ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ, ସମ୍ବଲପୁର-ଟିଟିଲାଗଡ ରେଳପଥ ଦୋହରୀକରଣ, ଟିଟିଲାଗଡ-ବିଜୟନଗରମ୍ ୩ୟ ଲାଇନ ପାଇଁ,ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ଓ ବୁଢାପଙ୍କ-ଶାଳଙ୍ଗା ୩ୟ ଲାଇନ ପାଇଁ ତଥା ଏହି ସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପ ଆରମ୍ଭ ହୋଇପାରୁନାହିଁ ବୋଲି ଗତ ବର୍ଷ ଜୁନ୍ ୧୫ ତାରିଖରେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଏହା ପରେ ବି ରାଜ୍ୟସରକାର କୌଣସି ପ୍ରକଳ୍ପର କାମ ଆରମ୍ଭ କଲେନାହିିଁ କି ରେଳମନ୍ତ୍ରୀଙ୍କୁ ପତ୍ରଟିଏ ଲେଖି ନିଜ ଉତର ଦେଲେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।