(ମହାଭାରତ, ପାରାଦୀପ): ତାର ଟଣାଯାଇଛି, ଘରେ ମିଟର ବି ବସିଛି, ମାତ୍ର ଖଣ୍ଟରେ ଦିଆଯାଇନାହିଁ ବିଦ୍ୟୁତ୍ ସଂଯୋଗ । ହେଲେ ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ୍ ଆସୁଛି ଉପଭୋକ୍ତାଙ୍କ ଘରକୁ । ଜଣେ କି ଦୁଇଜଣ ନୁହଁନ୍ତି,୧୦୦ ରୁ ଊର୍ଦ୍ଧ୍ୱ ପରିବାରକୁ ଆସିଛି ଏଭଳି ବିଦ୍ୟୁତ ବିଲ୍ । ବିଦ୍ୟୁତ ବିଭାଗର ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଦେଖିବାକୁ ମିଳିଛି ପାରାଦ୍ୱୀପ ନିକଟ ଭୂତମୁଣ୍ଡାଇ ପଞ୍ଚାୟତର ପିପଳ ଗ୍ରାମରେ । ବିଭାଗର ଏହି ଅଜବ ନୀତିକୁ ନେଇ ଗ୍ରାମବାସୀ ଏବେ ଆତଙ୍କିତ ।
ସରକାରୀ ଯୋଜନାରେ ସାମିଲ ହୋଇ ଘରେ ଲାଇନ ଜାଳିବାକୁ ଆଶା କରି ଏଥିରେ ସାମିଲ ହୋଇଥିଲେ ବହୁ ଗରିବ ପରିବାର । ମାଗଣା ମିଟର, ତାର, ବଲ ମିଳିବା ସହିତ ଡିବିରି ଆଲୁଅ ବଦଳରେ ଘରେ ଜଳିବ ଇଲେକ୍ଟ୍ରିକ ବଲ । ଉତ୍ସାହିତ ହୋଇ ଗ୍ରାମରେ ଖୁଣ୍ଟ ପକାଇବା ଓ ତାର ଟାଣିବାରେ ସହଯୋଗ କରିଥିଲେ ଗ୍ରାମବାସୀ । ମାତ୍ର ଏହି ଖୁସି ଏବେ ତାଙ୍କର ଦୁଃଖର କାରଣ ପାଲଟିଛି । ଏଭଳି ଘଟଣା ଘଟିଛି ପାରାଦ୍ୱୀପ ନିକଟ ଭୂତମୁଣ୍ଡାଇ ପଞ୍ଚାୟତର ପିପଳ ଗ୍ରାମରେ । ୬ ମାସ ହେଲା ଗ୍ରାମବାସୀଙ୍କ ସହଯୋଗରେ ଇଲେକ୍ଟ୍ରିକ ତାର ଟଣାଯାଇଛି । ଘର ଭିତରେ ବସିଛି ମିଟର, ଇଲେକ୍ଟ୍ରୀ ବୋର୍ଡ, ସର୍ଭିସ୍ ତାର ମଧ୍ୟ ଟଣାଯାଇଛ । କିନ୍ତୁ ବିଦ୍ୟୁତ କନେକସନ ଦିଆଯାଇନାହିଁ କି ଟ୍ରାନ୍ସଫର୍ମର ମଧ୍ୟବସିନାହିଁ । ହେଲେ ୮ ରୁ ୧୨ ହଜାର ଟଙ୍କା ଲେଖାଏଁ ବିଲ କେତେକଙ୍କ ମୋବାଇଲ୍କୁ ମେସେଜ୍ ଆସିଥିବା ବେଳେ କେତେକ ଉପଭୋକ୍ତାଙ୍କ ଘରକୁ ଆସିଛି ବିଲ । ଏହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ଦୀର୍ଘ ୬ ମାସ ହେଲା ଲାଇନ୍ ସଂଯୋଗ ପାଇଁ ବିଦ୍ୟୁତ ବିଭାଗର ଅଫିସକୁ ଦୌଡ଼ି ଦୌଡ଼ି ନିରାସ ହୋଇଥିବା ଗ୍ରାମବାସୀ ବିଦ୍ୟୁତ ବିଭାଗର ଏହି ଅଜବ ନୀତିକୁ ନେଇ ଅଡୁଆରେ । ସରକାରଙ୍କ ଯୋଜନାରେ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ନିଯୁକ୍ତ ହୋଇଥିବା ଠିକାଦାର ଖୁଣ୍ଟ ପକାଇବା ସହିତ ତାର ଟାଣିବା ପରେ ଲୋକମାନଙ୍କ ଘରେ ମିଟର, ସର୍ଭିସ ତାର ଓ ବୋର୍ଡ ଲଗାଇ ତାର କାର୍ଯ୍ୟ ଶେଷ ହୋଇଥିଲା । ଟ୍ରାନ୍ସଫର୍ମର ଓ ଘରକୁ ସଂଯୋଗ ଦେବା କାର୍ଯ୍ୟ ବିଦ୍ୟୁତ ବିଭାଗର । ମାତ୍ର ନିଜର କାର୍ଯ୍ୟରେ ଅବହେଳା କରିଥିବା ବିଦ୍ୟୁତ ବିଭାଗ, ଏହି ଗରିବ ପରିବାର ଉପରେ ଆର୍ଥିକ ବୋଝ ଲଦିଦେଇଛି । ଏଠାରେ ପ୍ରଶ୍ନ ଉଠୁଛି, ବିଦ୍ୟୁତ୍ ସଂଯୋଗ ହୋଇନଥିବା ମିଟରରୁ ସେସୁ କର୍ମ·ରୀ କିପରି ମିଟର ରିଡିଂ ନେଲେ ଯେ ଏକ କାଳୀନ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲେଖାଏଁ ବିଲ ଉଠିଲା ? ତେବେ ଏ ସମ୍ପର୍କରେ ମୁଁ କିଛି ଜାଣିନାହିଁ, ଏବଂ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପାରାଦ୍ୱୀପ ଗଡରେ ଥିବା ସେସୁ କାର୍ଯ୍ୟାଳୟର ଅଧିକାରୀ ପ୍ରକାଶ କରିଛନ୍ତି ।
ଆସନ୍ତା ୧୬ ତାରିଖ ଠାରୁ ବିଦ୍ୟୁତ ବିଲ୍ ବାକି ରଖିଥିବା ଉପଭୋକ୍ତାଙ୍କର ଲାଇନ୍ କାଟିବାକୁ ଘୋଷଣା କରିଛି ବିଦ୍ୟୁତ ବିଭାଗ । ମାତ୍ର ଲାଇନ୍ ନ ଜାଳି ବିଲର ବୋଝ ଲଦିଦେଇଥିବା ଏହି ଗରିବ ପରିବାରକୁ କିପରି ନ୍ୟାୟ ଦେବ ବିଦ୍ୟୁତ ବିଭାଗ, ତାହା ଆଗାମୀ ଦିନରେ ଜଣାପଡିବ ।