(ମହାଭାରତ, ଦିଗପହଣ୍ଡି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗାଁ ନୂଆସାହିରେ ଜଣେ ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗାଁର ଲୁଗା ବ୍ୟବସାୟୀ ବାଉରୀ ବନ୍ଧୁ ସାହୁଙ୍କ ପରିବାର ସୋମବାର ରାତିରେ ଶୋଇଥିବା ବେଳେ ଏହି ଘଟଣା ଘଟିଛି । ବ୍ୟବସାୟୀ ଜଣକ ରାତ୍ରି ଭୋଜନ ସାରି ପରିବାର ସଦସ୍ୟଙ୍କ ସହ ଶୋଇ ପଡିଥିଲେ । ସୁଯୋଗ ଦେଖି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତମାନେ ଘରର ବାରିପଟ କବାଟ ଭାଙ୍ଗି ଘରେ ପସିଥିଲେ । ଏହି ସମୟରେ ଅତି ସନ୍ତର୍ପଣରେ ଘର କାଠ ଆଲମାରୀରୁ ପ୍ରାୟ ୨୫ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ୨୬ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀଙ୍କ ପୁଅ ବେକରୁ ସୁନା ଚେନ ଲୁଟି ନେବାକୁ ଚେଷ୍ଟା କରୁଥିବା ବେଳେ ସେ ଉଠି ଚିତ୍କାର କରିଥିଲେ । ଏଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ୍ ହୋଇଥିଲେ । ପରଦିନ ସକାଳେ ଲୁଗା ବ୍ୟବସାୟୀ ଜଣକ ଲୁଟ୍ ବିଷୟରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ପରେ ଚିକିଟି ଏସଡିପିଓ ସୁରେନ୍ଦ୍ର ମୁର୍ମୁଙ୍କ ସହ ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।