ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୭ ଜଣ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଂଚଳର ବ୍ୟକ୍ତି। ସେହିଭଳି ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ହୋଇଥିବା ବେଳେ ୪ ଜଣ ହେଉଛନ୍ତି ମହିଳା।
ରେଳବାଇରେ କାର୍ୟ୍ୟରତ ୭ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତିନି ଆକ୍ରାନ୍ତଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ଯଥାକ୍ରମେ ୪୦, ୩୧, ୪୦ ଓ ୩୫ ବର୍ଷ ଥିବା ସୂଚନା ଦିଆଯାଇଛି। ଏମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭୁବନେଶ୍ବର ଏୟାରପୋର୍ଟ ନିକଟ ଭୀମପୁର ଅଂଚଳରୁ ୩୪ ବର୍ଷିଅ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ଏମାନେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଦିଲ୍ଲୀରୁ ଫେରିଥିବା ୨୫ ବର୍ଷୀୟ ପୁରୁଷ ଓ ୨୪ ବର୍ଷୀୟ ମହିଳା । ସେମାନେ ଦିଲ୍ଲୀରୁ ଫେରି ସଂଗରୋଧରେ ରହୁଥିଲେ। ନୟାପଲ୍ଲୀ ସବର ସାହିରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଜଣେ ୨୦ ବର୍ଷୀୟ ମହିଳା ଓ ଜଣେ ୧୫ ବର୍ଷୀୟ ବାଳକ । ଉଭୟ ନିକଟରେ ଦିଲ୍ଲୀରୁ ଫେରିଥିଲେ। ୧୭ ଜଣ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ତିନି ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ସେମଧ୍ୟରେ ପୁରୀ କେନାଲ ରୋଡସ୍ଥିତ ନହରକଣ୍ଟାର ୨୭ ବର୍ଷୀୟ ପୁରୁଷ , ସ୍ଥାନୀୟ ସରକାରୀ ହସ୍ପିଟାଲର କର୍ମଚାରୀ ୩୨ ବର୍ଷୀୟ ପୁରୁଷ ଏବଂ ଜୟଦେବ ବିହାର ନିକଟ ସରଣାପଲ୍ଲୀ ଅଂଚଳରେ ରହୁଥିବା ଜଣେ ୩୭ ବର୍ଷୀୟା ମହିଳା ରହିଛନ୍ତି।
