(ନୂଆଦିଲ୍ଲୀ): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏନେଇ ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୦ର ଧାରା (୧)ର ଉପଧାରା (କ)ରେ ପ୍ରଦତ୍ତ କ୍ଷମତାର ପ୍ରୟୋଗ ବଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା । କେ.ଟି.ଏସ ତୁଳସୀଙ୍କ ଅବସର ପରେ ରାଜ୍ୟସଭାରେ ଗୋଟିଏ ମନୋନୀତ ସଦସ୍ୟ ଆସନ ଖାଲି ପଡିଥିବା ବେଳେ ଗୋଗୋଇଙ୍କୁ ଏଥିପାଇଁ ବଛା ଯାଇଥିଲା । ଏହାକୁ ନେଇ କଂଗ୍ରେସ ସମେତ ଆଉ କିଛି ଦଳ ବିରୋଧ ମଧ୍ୟ କରିଥିଲେ । ଏସମ୍ପର୍କରେ ଗୋଗୋଇଙ୍କୁ ପଚରାଯାଇଥିଲା । ତେବେ ସେ ଶପଥ ଗ୍ରହଣ ପରେ ରାଜ୍ୟସଭା ମନୋନୟନ ଉପରେ ମତ ରଖିବେ ବୋଲି କହିଛନ୍ତି । ସେ ଏହି ପଦକୁ କାହିଁକି ଗ୍ରହଣ କଲେ ତାହା ଶପଥ ଗ୍ରହଣ କରିବା ପରେ ସ୍ପଷ୍ଟ କରିବେ ବୋଲି ଗୋଗୋଇ ଗଣମାଧ୍ୟମକୁ କହିଛନ୍ତି । ବୁଧବାର ସେ ଦିଲ୍ଲୀ ଗସ୍ତ କରିବାର ଯୋଜନା ରହିଛି । ରାଜ୍ୟସଭାରେ ଶପଥ ଗ୍ରହଣ କରିବା ପରେ ସବୁକଥା ବିସ୍ତୃତ ଭାବେ ଗଣମାଧ୍ୟମକୁ ଜଣାଇବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ୧୩ ମାସ ଧରି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବା ପରେ ଗୋଗୋଇ ଗତ ବର୍ଷ ନଭେମ୍ବର ମ।।ସରେ ଅବସର ନେଇଥିଲେ ।
previous post
next post
