(ମହାଭାରତ, ପୁରୀ): ଆଜି ପବିତ୍ର ଦୋଳପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦୋଳପୂର୍ଣ୍ଣମୀ ନୀତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁ ରାଜା ରାଜେଶ୍ୱର ବେଶ୍ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସକାଳ ୮ଟାରୁ ସାଢେ ୯ଟା ଭିତରେ ରାଜା ରାଜେଶ୍ୱର ବେଶ ସମ୍ପନ୍ନ ହେବ । ରାତି ସାଢେ ଦଶଟା ପର୍ଯ୍ୟନ୍ତ ଦର୍ଶନ ଦେଇ ସାରିବା ପରେ ମଇଲମ ସମ୍ପନ୍ନ ହେବ । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।
ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ମୁତାବକ, ରବିବାର ରାତି ୩ଟାରେ ମନ୍ଦିର ଦ୍ୱାର ଫିଟାଯିବ । ପରେ ସାଢେ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆରତି, ସାଢେ ୪ଟାରେ ମଇଲମ ଓ ତଡପ ଲାଗି, ୫ଟା ୧୫ରେ ଅବକାଶ, ୫ଟା ୪୫ରେ ରୋଷହୋମ, ୬ଟା ୧୫ରେ ସୂର୍ଯ୍ୟ ପୁଜା ଶେଷ ପରେ ମହାପ୍ରଭୂଙ୍କ ସର୍ବାଙ୍ଗ ଓ ନୂଆଲୁଗା ଲାହି ହେବ । ୭ଟାରୁ ସାଢେ ୭ଟା ଖଇକୋରା ଭୋଗ, ୭ଟା୪୫ରେ ଭିତର ବେଢା ଶେଷ ହେବ । ପରେ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ । ଏହାପରେ ୮ଟାରୁ ସାଢେ ୯ଟା ଭିତରେ ରାଜା ରାଜେଶ୍ୱର ବେଶ ବା ସୁନାବେଶ ସରିବା ପରେ ୯ଟା ୪୫ରେ ନାଭୀକଟା ମଣ୍ଡପ ନୀତି ଶେଷ ହେବ । ପୂର୍ବାହ୍ନ ୧୦ଟାରେ ବିମାନକୁ ଦିଅଁ ବିଜେ କରିବା ପରେ ବିମାନ ବେଢା, ଗୋପାଳବଲ୍ଲଭ ଓ ସକାଳଧୁପ, ଭୋଗ ଶେଷ ହେବ । ରାତି ୯ଟାରେ ଦୋଳବେଦୀ ନୀତି ସାରି ଠାକୁର ବାହୁଡା ବିଜେ କରିବେ । ରାତି ୧୦ଟାରେ ବେଢା ଶେଷ ପରେ ସରସ୍ୱତୀ ମନ୍ଦିର ପାଖରେ ଭୋଗ, ବନ୍ଦାପନା, ବିମାନ ସହ ଭିତରକାଠକୁ ଦିଅଁ ବିଜେ କରିବେ । ରାତି ୧୦ଟା ୪୫ରେ ରାଜା ରାଜେଶ୍ୱର ବେଶ ମଇଲମ ଅନୁଷ୍ଠିତ ହେବ । ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ।
