(ହରିଦ୍ୱାର): ମହାମାରୀ କରୋନା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ସଭା ସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକୁ ବାତିଲ କରାଯାଉଛି । ସେହିପରି ବିପୁଳ ଜନସମାଗମ ଏଡାଇବା ପ।।ଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, ସପିଂ ମଲ୍, ସୁଇମିଂ ପୁଲ, ସିନେମା ହଲ ଆଦି ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେତେକ ରାଜ୍ୟରେ ଦେବସ୍ଥଳୀ ଗୁଡିକରେ ମଧ୍ୟ ଭିଡ ନ ହେବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ହରିଦ୍ୱାରର ‘ହର କି ପୌରୀ’ ଘାଟରେ ନିତିଦିନ ହେଉଥିବା ଗଙ୍ଗା ଆରତୀର ସିଧା ପ୍ରସାରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ସତର୍କତା ଅବଲମ୍ବନ କରିବାକୁ ଯାଇ ଏଠାରେ ଆରତୀ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ଏହାର ସିଧା ପ୍ରସାରଣ କରାଯିବାକୁ କୁହାଯାଇଛି । ହରିଦ୍ୱାର ଜିଲ୍ଲାପାଳ ସି. ରବିଶଙ୍କର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କେବଳ ଗଙ୍ଗା ଆରତୀ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରସାଶନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ସେହିପରି ଭକ୍ତଙ୍କ ନିମନ୍ତେ ନୋଏଡାର ଇସ୍କନ ମନ୍ଦିରରେ ହେଉଥିବା ଆରତୀର ସିଧା ପ୍ରସାରଣ ଆଗାମୀ ୩୧ ତାରିଖ ଯାଏ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଏହି ଇସ୍କନ ମନ୍ଦିରେ ଆରତୀ ଦେଖିବା ପାଇଁ ପ୍ରତିଦିନ ୨ ହଜାର ଲୋକଙ୍କ ଭିଡ ଜମା ହୋଇଥାଏ ।
previous post
