ଓ୍ବାଶିଂଟନ: କରୋନା ସଂକ୍ରମଣରେ ବର୍ତ୍ତମାନ ବିଶ୍ୱର ୨୧୦ଟି ରାଷ୍ଟ୍ର ଥିବାବେଳେ ଏପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ କୌଣସି ଟୀକା ବା ଔଷଧ ପ୍ରସ୍ତୁତ ହୋଇନାହିଁ । କେବଳ ସାମାଜିକ ଦୂରତ୍ୱ ଦ୍ୱାରା ଏହକୁ ରୋକା ଯାଇପାରି । ତେବେ ସାମାଜିକ ଦୂରତ୍ୱ ପାଇଁ କେବଳ ଗୋଟିଏ ଥର ଲକ୍ଡାଉନ୍ କରିଦେଲେ କୌଣସି ସୁଫଳ ମିଳିବ ନାହିଁ । ଦୀର୍ଘ କାଳ ପାଇଁ କିଛି ବ୍ୟବଧାନରେ ଏହି ଉପାୟକୁ ଆପଣାଇବାକୁ ପଡ଼ିବ। ଅନ୍ତତଃ ୨୦୨୨ ପର୍ୟ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।
ଥରେ ଲକ୍ଡାଉନ୍ କରିଦେବା ଫଳରେ ମହାମାରୀ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ। କଟକଣା ନିରନ୍ତର ଲାଗି ନ ରହିଲେ ଏହାର ଅତିରିକ୍ତ ବୃଦ୍ଧି ବର୍ତ୍ତମାନଠାରୁ ଆହୁରି ଭୟଙ୍କର ହୋଇପାରେ। ଏପରି କି ଭାକ୍ସିନ ନ ବାହାରିଲେ ଅଥବା ପ୍ରଭାବଶାଳୀ ଚିକିତ୍ସା କରା ନ ଗଲେ ୨୦୨୫ ପର୍ୟ୍ୟନ୍ତ କରୋନା ଭାଇରସ୍ ପୁଣି ଭୟଙ୍କର ହୋଇପାରେ ବୋଲି ହାଭାର୍ଡ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମାର୍କ ଲିପ୍ଷ୍ଟିକ୍ ସତର୍କ କରାଇଛନ୍ତି। ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ଆନୁକୂଲ୍ୟରେ ଅଧ୍ୟୟନର ନେତୃତ୍ୱ ନେଇଥିବା ଗବେଷକ କହିଛନ୍ତି, ସଂକ୍ରମଣ ମୁଖ୍ୟତଃ ଦୁଇ ପ୍ରକାର ଲୋକଙ୍କଠାରୁ ବଢ଼ିଥାଏ। ଗୋଟିଏ ହେଲା ସଂକ୍ରମିତ ଓ ଅନ୍ୟଟି ଅତି ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରୁ। ଯଦି ପର୍ୟ୍ୟାପ୍ତ ପରିମାଣର ପ୍ରତିଷେଧକ ଉପଲବ୍ଧ ନ ଥିବ ତେବେ ବହୁସଂଖ୍ୟକ ଲୋକଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି। ୨୦୨୦ ଗ୍ରୀଷ୍ମରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି । ତାଙ୍କର ଏହି ରିପୋର୍ଟ ଆମେରିକା ସରକାରଙ୍କ ସାଇଣ୍ଟିଫିକ୍ ଆଡ୍ଭାଇଜରି ଗ୍ରୁପ୍ ଫର୍ ଏମର୍ଜେନ୍ସି (ସେଜ୍) ପକ୍ଷରୁ ଉନ୍ମୋଚିତ ହୋଇଛି। ହାଭାର୍ଡ ଟି.ଏଚ୍. ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ଗବେଷକମାନେ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି।
