ଓଡିଶା

ଭତ୍ତା ପାଇଁ ଚାଲିବାକୁ ପଡୁଛି ୧୬ କିଲୋମିଟର

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ମାଟେରୁ ପଞ୍ଚାୟତରେ ଭତ୍ତା ଟଙ୍କା ପାଇବା ପାଇଁ ଦୁର୍ଗମ ଅଞ୍ଚଳରୁ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଦୀର୍ଘ ୧୬ କିଲୋମିଟର ପାଦରେ ଚାଲି ଯାଆସ କରିବାକୁ ପଡୁଛି । କାହାର ଗୋଡ ନଥିବା ବେଳେ ଆଉ କେହି ଅନ୍ଧ ମହିଳାଙ୍କୁ ସହଯୋଗୀଙ୍କ ହାତ ଧରି ଦୀର୍ଘ ବାଟ ଚାଲିବାକୁ ପଡୁଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ମାଟେରୁ ପଞ୍ଚାୟତ କାର୍ୟ୍ୟାଳୟରେ ଭତ୍ତା ବଣ୍ଟନ ଚାଲିଥିବାରୁ ଆଖପାଖ ଅଞ୍ଚଳର ବୃଦ୍ଧ ଓ ବୃଦ୍ଧା ନିଜର ଭତ୍ତା ଟଙ୍କା ନେବା ପାଇଁ ଏକାଠି ହେଉଥିଲେ। ଏମାନଙ୍କ ମଧ୍ୟରୁ ତେଗଡାପଲ୍ଲୀ ଗ୍ରାମର କାମେ ମାଡକାମି ନାମକ ଜଣେ ବୃଦ୍ଧାଙ୍କ ପାଦ ଅକାମୀ ହୋଇଥିବା ବେଳେ ସେ ଉଭୟ ପାଦରେ କପଡା ବାନ୍ଧି ଲାଠି ସାହାଯ୍ୟରେ ଦୀର୍ଘ ଆଠ କିମି ଚାଲି ଚାଲି ପଞ୍ଚାୟତ କାର୍ୟ୍ୟାଳୟରୁ ନିଜର ଭତ୍ତାଟଙ୍କା ଆସି ନେଇଥିଲେ । ରାମାଗୁଡା ଗ୍ରାମର ଦେବେ କାର୍ତ୍ତାମୀ ଦୃଷ୍ଟିହୀନ ହୋଇଥିବା ସତ୍ତ୍ୱେ ଅନ୍ୟ ବୃଦ୍ଧାଙ୍କ ସହଯୋଗରେ ଭତ୍ତା ଟଙ୍କା ନେବା ପାଇଁ ପ୍ରାୟ ୫ କିମି ପାଦରେ ଚାଲି ପଞ୍ଚାୟତ କାର୍ୟ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ସେହିପରି ନୀଲିଗୁଡାର କବାସୀ ଗାଙ୍ଗୀ, ରାମାଗୁଡାର ପାଦାମ ଦେବେ, ମାଢ଼ି ନାଙ୍ଗୀ ଓ ତେଲାମଗୁଡାର କାର୍କୁ ମାସେ ଆଦି ଅସହାୟ ବୃଦ୍ଧା ଦୀର୍ଘ ବାଟ ପାଦରେ ଚାଲି ପଞ୍ଚାୟତ କାର୍ୟ୍ୟାଳୟରୁ ନିଜର ଭତ୍ତା ଟଙ୍କା ନେଇଥିଲେ। ତେବେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ଘରେ ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇଲେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ଉପକୃତ ହେବେ ବୋଲି ଶୁଣିବାକୁ ମିଳୁଛିି ।

Related posts

ବର୍ଷାରେ ବେହାଲ ଯାଜପୁର

mahabharatanews

ରାଜ୍ୟରେ ନୂଆ ୧୨୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଓଡିଶାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟ। ୨ହଜାର ନିକଟତର

mahabharatanews