(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗତ ସୋମବାର ବିଳମ୍ବିତ ର।।ତିରେ ଦୁଇ ବିପରୀତ ଦିଗରୁ ଆସୁଥିବା ଏକ ପରିବା ବୋଝେଇ ଟ୍ରକ୍ ଓ ଥଣ୍ଡା ପାନୀୟ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ଦୁଇ ଟ୍ରକର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକ ଟ୍ରକ ଡ୍ରାଇଭର ଦ୍ୱୟ ବୌଦ୍ଧ ଜିଲ୍ଲା ଚାରିଛକର ଉତ୍ତମ ସାହୁ ଓ ଖୋର୍ଦ୍ଧା ପିଚୁକୁଳିର କୁନା ମାଣିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପରିବା ବୋଝେଇ ଟ୍ରକଟି ବରଗଡରୁ ପରିବା ନେଇ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସୁଥିଲା । ଗୁଦୁଗୁଦା ଛକ ନିକଟରେ ଉଭୟ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଚାଳକ ଦ୍ୱୟଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ଗାଡିର ହେଲପର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
previous post
next post