(ନୂଆଦିଲ୍ଲୀ): ଜେଏନୟୁରେ ଜାନୁଆରୀ ୫ରେ ହୋଇଥିବା ହିଂସା ଘଟଣାକୁ ନେଇ ପ୍ରମାଣ ସଂରକ୍ଷିତ ରଖିବାକୁ ବିଶ୍ୱବିଦ୍ୟାଳୟର ୩ ଜଣ ପ୍ରଫେସର ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ପିଟିସନର ମଙ୍ଗଳବାର ଦିନ ଶୁଣାଣି ହୋଇଛି । ହିଂସା କାଣ୍ଡ ପୂର୍ବରୁ ୨ଟି ହ୍ୱାଟ୍ସଆପ ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ ଜବତ କରିବାକୁ ଦିଲ୍ଲୀ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫୋନଗୁଡିକ ଜବତ ହେବା ପରେ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି କୋର୍ଟ କହିଛନ୍ତି । ଗୁଗୁଲ ଓ ହ୍ୱାଟ୍ସଆପ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସମସ୍ତ ଫଟୋ, ମେସେଜ ଓ ଭିଡିଓକୁ ସଂରକ୍ଷିତ ରଖିବା ସହ ତଦନ୍ତ ବେଳେ ଏହାକୁ ପୋଲିସକୁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ବ୍ରିଜେଶ ସେଠୀ ଜେଏନୟୁ ରେଜିଷ୍ଟ୍ରାର ଡ଼. ପ୍ରମୋଦ କୁମାରଙ୍କୁ ପୋଲିସ ମାଗୁଥିବା ସମସ୍ତ ତଥ୍ୟକୁ ବିନା ଦ୍ୱିଧାରେ ଦେବା ସହ ତଦନ୍ତରେ ସହଯୋଗ କରିବା ପାଇଁ କହିଛନ୍ତି । ସୂଚନାଯୋଗ୍ୟ, ‘ୟୁନିଟି ଏଗନେଷ୍ଟ ଲେଫ୍ଟ’ ଓ ‘ଫ୍ରେଣ୍ଡସ ଅଫ ଆରଏସଏସ’ ନାମକ ୨ଟି ହ୍ୱାଟ୍ସଆପ ଗ୍ରୁପରେ ଆକ୍ରମଣ ପୂର୍ବରୁ ଚାଟିଂ ହୋଇଥିବା କିଛି ଲେଖା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପିଟିସନର ଶୁଣାଣି ବେଳେ ଏହି ଦୁଇ ଗ୍ରୁପର ସଦସ୍ୟଙ୍କ ମୋବାଇଲ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୋଲିସ ମାଗିଥିବା ହିଂସା ସମୟର ସିସିଟିଭି ଫୁଟେଜ ଶୀଘ୍ର ଯୋଗାଇ ଦେବାକୁ ଜେଏନୟୁ ପ୍ରଶାସନକୁ କୋର୍ଟ କହିଛନ୍ତି ।
previous post
next post