(ମହାଭାରତ ): ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ସାଇବାବାଙ୍କ ଜନ୍ମଭୂମୀ ମହାରାଷ୍ଟ୍ରର ପାଥରୀ ବୋଲି ଉଦ୍ଧବ କହିବା ପରେ ବିବାଦ ବଢିଛି । ଏହାର ପ୍ରତିବାଦରେ ରବିବାର ଅର୍ଥାତ ଆଜି ଠାରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଡାକରା ଦିଆଯାଇଛି । ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ୱାସ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଅହମ୍ମଦନଗର ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢେଇ ପାଇଁ ଚେତାବନୀ ଦେଇଛନ୍ତି । ଉଦ୍ଧବଙ୍କ ଏଭଳି ମନ୍ତବ୍ୟକୁ ନେଇ ଶିରିଡ଼ି ଗାଁଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପାଥରୀକୁ ତୀର୍ଥଯାତ୍ରୀ ସ୍ଥଳର ମାନ୍ୟତା ଦେବା ଲାଗି ନେଉଥିବା ପଦକ୍ଷେପ ଉପରେ ବିଜେପି ପ୍ରଶ୍ନ ଉଠାଇଛି । ମହାରାଷ୍ଟ୍ରରେ ସରକାର ବଦଳିବା ପରେ ହଠାତ ଏହି ପ୍ରସଙ୍ଗ କିପରି ଆସିଲା ଏବଂ ପାଥରୀ ସାଇବାବାଙ୍କ ଜନ୍ମସ୍ଥାନ ବୋଲି କେଉଁଠି ପ୍ରମାଣ ରହିଛି । ସାଇବାବାଙ୍କ ଜନ୍ମସ୍ଥାନ କେଉଁଠି ତାହା କୌଣସି ରାଜନେତା ସ୍ଥିର କରିପାରିବେ ନାହିଁ ବୋଲି ବିଜେପି ସାଂସଦ ସୁଜୟ ପାଟିଲ କହିଛନ୍ତି । ସେହିପରି ପାଥରୀରେ ମୁଖ୍ୟମନ୍ତ୍ରୀ ଯଦି ବିକାଶ କରିବାକୁ ଚାହୁଁଛନ୍ତି ସେଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ଏହାକୁ ସାଇବାବାଙ୍କ ଜନ୍ମଭୁମି କହିବା ଠିକ ହେବ ନାହିଁ । ଏଭଳି ମନ୍ତବ୍ୟକୁ ନେଇ ସାଇ ଭକ୍ତ ନିରାଶ ହୋଇଛନ୍ତି ବୋଲି ସାଇ ଟ୍ରଷ୍ଟର ସଦସ୍ୟ କହିଛନ୍ତି ।