ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଶନିବାର ଦିନ ଜଣେ ମହିଳା ଜଣେ STF କନଷ୍ଟେବଳଙ୍କ ପତ୍ନୀ ଏବଂ ଆଠ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଥିଲେ। ହେଲେ କନଷ୍ଟେବଳଙ୍କ ଦୁଇ ଝିଅ କୌଣସି ପ୍ରକାରେ ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଅଭିଯୁକ୍ତ ମହିଳା ଆଠ ବର୍ଷର ପୁଅକୁ ୧୪ ଥର ଛୁରି ଭୁସି ହତ୍ୟା କରିଥିଲେ, ଏବଂ କନଷ୍ଟେବଳଙ୍କ ସ୍ତ୍ରୀଙ୍କୁ ୧୮ ଥର ଛୁରି ଭୁସି ହତ୍ୟା କରାଯାଇଥିଲା ଯାହା ଫଳରେ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଆକ୍ରମଣରେ କନଷ୍ଟେବଳଙ୍କ ଝିଅଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଅଧିକାରୀମାନେ ଶନିବାର ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ପୋଲିସ ଅଧିକ୍ଷକ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ଅଭିଯୁକ୍ତ ମହିଳା ଗତ ଦୁଇରୁ ତିନି ବର୍ଷ ଧରି କନଷ୍ଟେବଳଙ୍କ ସହ ଅବୈଧ ସମ୍ପର୍କରେ ଥିଲେ । ସେ ତାଙ୍କ ସହିତ ଗୋଟିଏ ଘରେ ରହିବାକୁ ଚାହୁଁଥିଲେ। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତିରେ ଏହି ପ୍ରସଙ୍ଗକୁ ନେଇ ଅଭିଯୁକ୍ତ ମହିଳା ଏବଂ କନଷ୍ଟେବଳଙ୍କ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମାରଣାସ୍ତ୍ର ସାହାର୍ଯ୍ୟାରେ ଅଭିଯୁକ୍ତ ପ୍ରେମିକା କନଷ୍ଟେବଳଙ୍କ ସ୍ତ୍ରୀ ଓ ପିଲାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସମୟରେ କନଷ୍ଟେବଳଙ୍କ ଦ୍ୱିତୀୟ ଝିଅ ମଧ୍ୟ ଘରେ ଉପସ୍ଥିତ ଥିଲେ। କନଷ୍ଟେବଳଙ୍କ ପତ୍ନୀ ରୀନା ଯାଦବ ଏବଂ ପୁଅ ଆଦିତ୍ୟ ଯାଦବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା, ତାଙ୍କ ୧୨ ବର୍ଷୀୟ ଝିଅ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ। ପରେ ପଡ଼ୋଶୀମାନେ ଅଭିଯୁକ୍ତ ମହିଳା ସରୋଜିନୀଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମହିଳାଙ୍କୁ ହେପାଜତକୁ ନିଆଯାଇଛି ଏବଂ ବିସ୍ତୃତ ତଦନ୍ତ ଚାଲିଛି।

