(ନୂଆଦିଲ୍ଲୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ୩ ଜଣ ମହିଳା ପାଇଲଟଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି । ମୋହନା ଜିତରୱାଲ, ଭାବନା କାନ୍ତ ଏବଂ ଅବନୀ ଚତୁର୍ବେଦୀଙ୍କୁ ଏହି ପୁରସ୍କାର ମିଳିଛି । ଏହି ତିନି ପାଇଲଟ୍ ୨୦୧୮ରେ ମିଗ୍-୨୧ରେ ଏକାକୀ ଉଡାଣ ଭରିଥିଲେ । ଯୁଦ୍ଧ ବିମାନ ଉଡାଇବା ପାଇଁ ସେମାନଙ୍କୁ ହାକିମ୍ପେଟ୍ ବାୟୁସେନା ଘାଟିରେ କଠୋର ତାଲିମ ଦିଆଯାଇଥିଲା । ନାରୀ ଶକ୍ତି ପୁରସ୍କାର ପାଇବା ପରେ ଏହି ମହିଳା ପାଇଲଟ୍ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ସେବା କରିବାକୁ ସେମାନେ ସର୍ବଦା ଉଦ୍ୟମରତ । ବାୟୁସେନାରେ ନିଯୁକ୍ତ ହେବା ପାଇଁ ପୂର୍ବରୁ ମହିଳା ମାନଙ୍କ ପାଇଁ କୌଣସି ସୁଯୋଗ ନଥିଲା । କିନ୍ତୁ ସେମାନେ ବାୟୁସେନାର ପ୍ରଥମ ୩ ମହିଳା ହୋଇପାରିଥିବାରୁ ଗର୍ବିତ । ବିଶେଷ କରି ବାୟୁସେନାର ସହଯୋଗ ମିଳିପାରି ଥିବାରୁ ସେମାନେ ଏଥିପାଇଁ ଗୌରବାନ୍ୱିତ ବୋଲି ସେମାନେ କହିଛନ୍ତି ।
ସୂଚନାଯୋଗ୍ୟ, ମୋହନା ଜିତରୱାଲଙ୍କ ବାପା ୧୯୪୮ରେ ହୋଇଥିବା ଭାରତ-ପାକ୍ ଯୁ୍ଦ୍ଧରେ ଶହୀଦ ହୋଇଥିଲେ । ତାଙ୍କୁ ବୀର ଚକ୍ରରେ ମଧ୍ୟ ସମ୍ନାନ୍ନିତ କରାଯାଇଥିଲା । ମୋହନା ନିଜେ ଅମୃତସରର ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଏବଂ ଏମର୍ଜିଂ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ସ୍ନାତକ ହାସଲ କରିଛନ୍ତି । ସେହିପରି ଅନ୍ୟତମ ମହିଳା ପାଇଲଟ୍ ଭାବନା କାନ୍ତ ଟାଟା କନଲଟାନ୍ସିରେ ଚାକିରି କରିଥିଲେ । ପରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ । ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଅବନୀ ଚତୁର୍ବେଦୀ ସର୍ବଦା ଉଚ୍ଚରେ ଉଡିବାକୁ ଚାହୁଁଥିଲେ । ତାଙ୍କର ପିତା ଜଣେ ଇଞ୍ଜିନିୟର ହୋଇଥିବା ବେଳେ ମାଆ ଗୃହିଣୀ । ପାଇଲଟ୍ ହେବାର ସ୍ୱପ୍ନ ପୂରଣ କରିବା ପାଇଁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ତାଙ୍କ ଭାଇ ତାଙ୍କୁ ପ୍ରେରଣା ଦେଇଥିଲେ ।