(ମହାଭାରତ, ବଡସାହି): ମଣିଷ ବଞ୍ଚି ଥାଉ ଥାଉ ନିର୍ଯାତନା ପାଇବା ସମସ୍ତେ ଜାଣିଛନ୍ତି । ମାତ୍ର ଅପମୃତ୍ୟୁ ଓ ଦୂର୍ଘଟଣା ଜନିତ ମୃତ୍ୟୁ ପରେ ବି ମୃତଦେହ ଓ ତା’ର ଆତ୍ମୀୟ ପାଉଛନ୍ତି ନିର୍ଯାତନା । ମୟୂରଭଞ୍ଜ ଜିଲା, ବେତନଟୀ, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ପ୍ରତିଦିନ ଘଟୁଛି ଏପରି ଘଟଣା । ଏହି ୪ଟି ବ୍ଲକ ପାଇଁ ବେତନଟୀର ଶୁଖିଲାହାର ବନ୍ଧ ନିକଟରେ ଏକ ଶବ ବ୍ୟବଚ୍ଛେଦ ଗୃହ ୧୮ବର୍ଷ ତଳେ ର୍ନିମିତ ହୋଇଛି । କିନ୍ତୁ କାର୍ଯ୍ୟକ୍ଷମ ହୋଇ ନଥିବାରୁ ବାରିପଦା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଉଛି । ନିୟମ ଅନୁସାରେ କାହାରି ଅପମୃତ୍ୟୁ/ଦୂର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପୋଲିସ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହର ବ୍ୟବଛେଦ କରାଇଥାଏ ।
ବେତନଟୀ, ବୈଶିଙ୍ଗା, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ଥାନାକୁ ନେଇ ବେତନଟୀ ପୁଲିସ୍ ଉପଖଣ୍ଡ ଥିବାରୁ ବ୍ୟବଚ୍ଛେଦ ଗୃହଟି ର୍ନିମାଣ ହୋଇଥିଲା । ଏହି ୫ଟି ଥାନା ଅଧୀନରେ ୧ହଜାର ୧୨୬.୩୮ବର୍ଗ କିମି ଅଞ୍ଚଳ ଥିବା ବେଳେ ୯୦ଟି ଗ୍ରାମପଞ୍ଚାୟତର ୭୯୭ ରାଜସ୍ୱ ଗ୍ରାମରେ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି । ବେତନଟୀ ପୁଲିସ୍ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ବର୍ଷ ଏହି ଅଞ୍ଚଳରେ ଅପମୃତ୍ୟୁ ଓ ଦୂର୍ଘଟଣାରେ ୨୨୨ ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ସୀମାନ୍ତବର୍ତ୍ତୀ କେତେକ ଗାଁର ମୃତଦେହ ବାଲେଶ୍ୱରରେ ବ୍ୟବଚ୍ଛେଦ ହୋଇଥିବା ବେଳେ ବାକି ସମସ୍ତ ବ୍ୟବଚ୍ଛେଦ ବାରିପଦାରେ ହୋଇଛି । ତେବେ ବ୍ୟବଚ୍ଛେଦ ପାଇଁ ଶବକୁ ୫୦/୬୦ କିମି ନେବା ପରେ ପୁଣି ଘରକୁ ଫେରାଇ ଅଣାଯାଉଛି । ଏଥିପାଇଁଁ ମୃତକଙ୍କ ଆତ୍ମୀୟମାନେ ଉଭୟ ଆର୍ଥିକ ଓ ମାନସିକ ନିର୍ଯାତନା ସହୁଛନ୍ତି । ତାହାର କାରଣ ଏହି ୪ଟି ବ୍ଲକରେ ସରକାରୀ ଶବ ବାହକ ଗାଡ଼ି ନଥିବା ବେଳେ ଘରୋଇ ଗାଡ଼ି ଭଡ଼ା ସୂତ୍ରରେ ମିଳିଥାଏ । ଏହି ଅଞ୍ଚଳର ୮୦ ପ୍ରତିଶତ ଲୋକ ଆର୍ଥିକ ଭାବେ ସେତେ ମଜବୁତ ହୋଇ ନଥିବା ବେଳେ ବିପଦ ସମୟରେ ଧାରକରଜ କରି ଭଡ଼ା ଅର୍ଥ ଭରଣା କରିଥାନ୍ତି ।
ସବୁଠାରୁ ଦୁଃଖର ବିଷୟ ଶବ ବ୍ୟବଚ୍ଛେଦ ଗୃହଟି ଏଯାଏ କାର୍ଯ୍ୟକ୍ଷମ ହୋଇ ନଥିବାରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଅତିକମରେ ୧୨ରୁ ୨୦ ଘଣ୍ଟା ବିଳମ୍ବ ହେଉଛି । ୪ଟି ବ୍ଲକର ମଧ୍ୟସ୍ଥଳ ବେତନଟୀ ହୋଇଥିବାରୁ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ହେବା ନିହାତି ଜରୁରୀ ବୋଲି ଏଠାରେ ଥିବା ବିକାଶ ମଞ୍ଚ ଏନେଇ ତତ୍ପରତା ଦେଖାଇଛି । ୫ଟି ଥାନା ଅଧିକାରୀ ଓ ବେତନଟୀ ପୁଲିସ୍ ଏସଡ଼ିପିଓଙ୍କ ଜରିଆରେ ଏହି ସଂଗଠନ ଜିଲ୍ଲା ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି । ଏହାସହ ଏକ ପ୍ରତିନଧି ଦଳ ଏସପି ଓ ସିଡ଼ିଏମଓଙ୍କୁ ଭେଟି ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଅନୁରୋଧ କରିଛନ୍ତି ।