(ମହାଭାରତ, ନୂଆଦିଲ୍ଲୀ): କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ଏବେ ସାରା ବିଶ୍ୱ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି । ଭାରତରେ କରୋନା ସଂକ୍ରମଣକୁ ନଜରରେ ରଖି ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ରବିବାରକୁ ‘ଜନତା କର୍ଫ୍ୟୁ’ ଘୋଷଣା କରିଛନ୍ତି । ଏହି ସମୟରେ ଲୋକେ ନିଜ ଇଚ୍ଛାରେ ଘରେ ରହିବାକୁ ଅନୁରୋଧ କରାଯାଇଛି । ଜରୁରୀ ନଥିଲେ କେହି ଘରୁ ବାହାରକୁ ନ ଆସିବାକୁ କୁହାଯାଇଛି । ଏହାକୁ ଦେଖି ରେଲୱେ ପକ୍ଷରୁ ପ୍ରାୟ ୩ ହଜାର ୭ଶହ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ଜଣାପଡିଛି । ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି । ସେପଟେ ପୂର୍ବରୁ ଛାଡି ସାରିଥିବା ଟ୍ରେନକୁ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ରେଳବାଇ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶନିବାର ମଧ୍ୟରାତ୍ରୀରୁ ରବିବାର ରାତି ୧୦ଟା ଯାଏ ଦେଶରେ କୌଣସି ରେଳ ଷ୍ଟେସନରୁ କୌଣସି ପାସେଞ୍ଜର ବା ଏକ୍ସପ୍ରେସ ଟ୍ରେନ ଛାଡିବ ନାହିଁ । ଏହାଛଡା ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ସିକନ୍ଦରାବାଦର ସବ୍ ଅର୍ବାନ ରେଳସେବା ହ୍ରାସ କରାଯିବ । କେବଳ ଜରୁରୀ ଯାତ୍ରୀଙ୍କ ଲାଗି ସର୍ବନିମ୍ନ ସଂଖ୍ୟାରେ ଟ୍ରେନ ଚଳାଚଳ କରିବ ।
previous post