Uncategorized

ବିନା ରେସନ କାର୍ଡଧାରୀଙ୍କୁ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ କେନ୍ଦ୍ର, ରାଜ୍ୟକୁ ନୋଟିସ୍

କଟକ: ରେସନ କାର୍ଡ ନଥିବା ଗରିବ, ବସ୍ତି ବାସିନ୍ଦା, ଶ୍ରମିକଙ୍କୁ ସହାୟତା ସମ୍ବନ୍ଧିତ ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଏ ସଂପର୍କିତ ଦୁଇଟି ପୃଥକ ମାମଲାର ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିବା ବେଳେ ମେ’ ୨୬କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ସମାଜସେବୀ ଡକ୍ଟର ବିଶ୍ୱାବସୁ ଦାଶ ଓ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଦାୟର ଆବେଦନରେ କୁହାଯାଇଛି, ଲକ୍‌ଡାଉନ ଯୋଗୁଁ ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କ ରୋଜଗାର ନାହିଁ। ବହୁ ସ୍ଥାନରେ ଶ୍ରମଜୀବୀମାନେ ବାହାରକୁ କାମ କରିବାକୁ ଯାଇ ଫେରି ପାରୁନାହାନ୍ତି। ପ୍ରବାସରୁ ଚାଲି ଚାଲି, ବସରେ ଓ ଅନ୍ୟ ଉପାୟରେ ଫେରୁଥିବା ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ, ପାନୀୟ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ବହୁ ପେସାଦାର ଓ ନିଜ ଉଦ୍ୟମରେ ଆତ୍ମନିର୍ଭର ହୋଇଥିବା ପରିବାର ଅସୁବିଧାରେ ଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ସରକାର ଚିନ୍ତା କରିବା ଉଚିତ। ସେହିଭଳି ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀ ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ବହୁ ଗରିବ ପରିବାର ନିକଟରେ ରେସନକାର୍ଡ ନାହିଁ। ଲକ୍‌ଡାଉନ ଯୋଗୁଁ ଦେଖା ଦେଇଥିବା ପରିସ୍ଥିତିରେ ରେସନକାର୍ଡ ନଥିବା ଗରିବ ପରିବାର ପାଇଁ କିରାସିନ୍, ଚାଉଳ, ଗହମ, ଡାଲି ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆଜି ସୋରରେ ଥିବା ଶ୍ରୀ ରାୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ।

Related posts

କାଶ୍ମୀରରେ ଭୂକମ୍ପ, ତୀବ୍ରତା ୫.୮

mahabharatanews

ଜଳିଗଲା ତୀର୍ଥଯାତ୍ରୀ ବସ, ୧୫ ଆହତ

mahabharatanews

କରୋନା ଭାଇରସ ପାଇଁ ସର୍ତକତା

mahabharatanews