ଭୁବନେଶ୍ୱର: ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇବର୍ଷ ପାଇଁ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାଶ କରିଛି ବୋଲି ଭୁବନେଶ୍ୱର ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନିନରେ କ୍ଷୋଭ ପ୍ରକାଶ କରିଛନ୍ତି ।
ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି କହିଥିଲା ଯେ ବର୍ଷକୁ ଏକଲକ୍ଷ ନିଯୁକ୍ତି ଦେବ, ମାତ୍ର ୨୦ବର୍ଷରେ ୨୦ଲକ୍ଷ ବଦଳରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୫୦ହଜାରରୁ କମ ନିଯୁକ୍ତି ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ନିଷ୍ପତ୍ତି ପରେ ଛାତ୍ର ଓ ଯୁବ ସମାଜ ମହଲରେ ଆଜି ହାହାକାର ସୃଷ୍ଟିହୋଇଛି । ଏବେ ରାଜ୍ୟରେ ୮୦ଲକ୍ଷରୁ ଉଦ୍ଧ୍ୱର୍ ଦଶମ ପାସକରିଥିବା ଏବଂ ୨୦ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାଜୁଏଟ ବେକାର ଯୁବକଯୁବତୀ ନିଯୁକ୍ତି ନପାଇ ଅତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ବେକାର ଯୁବକଯୁବତୀଙ୍କୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅନେକଥର ନିଯୁକ୍ତି ମେଳାକରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ମାତ୍ର କେହି ନିଯୁକ୍ତି ପାଇନାହାନ୍ତି ।
ଓଡ଼ିଶାରେ ୨୦୦୦ ମସିହାରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଲାବେଳେ ରାଜ୍ୟରେ ଋଣଭାର ମାତ୍ର ୧୮ହଜାର କୋଟି ଥିଲା । ସ୍ୱାଧୀନତା ପରଠାରୁ ୫୦ବର୍ଷ ମଧ୍ୟରେ ଋଣଭାର ଏତିକିରେ ରହିଥିଲା ମାତ୍ର ୨୦ବର୍ଷ ନବୀନ ଶାସନରେ ଏହି ଋଣଭାର ୧ଲକ୍ଷ ୨୦ହଜାର ପର୍ଯ୍ୟନ୍ତ ପଂହଚିଛି । ଏହି ସରକାର ସବୁବେଳେ କେନ୍ଦ୍ର ଉପରେ ନିର୍ଭରଶୀଳ ଏବଂ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକରିବାରେ ବି ଅସମର୍ଥ । ଆଜି ଏଭଳି ବିପତି ସମୟରେ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ବାଟ ନପାଇ ଶେଷରେ ଓଡ଼ିଶାର ଛାତ୍ରଓ ଯୁବକଙ୍କ ପେଟକୁ ଗୋଇଠା ମାରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି କେବଳ ନିଯୁକ୍ତି କ୍ଷେତ୍ର କାହିଁକି ଏହି ବିପତିରେ ବିଧାୟକ, ସାଂସଦ, ବରିଷ୍ଠ ସରକାରୀ ଅଫିସର ସମସ୍ତଙ୍କ ବେତନ ଉପରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉ । ବିଶେଷ କରି ବିଧାୟକ ଓ ସାଂସଦ ସରକାରଙ୍କ ଠାରୁ ପାଉଥିବା ସମସ୍ତ ମାସିକ ଆର୍ଥିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏବଂ ବରିଷ୍ଠ ସରକାରୀ ଅଫିସରଙ୍କର ଦରମାକୁ ଅଧା କରିଦିଆଯିବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ।
previous post
next post
