ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ ଥିବା ସମଲିଙ୍ଗୀ ଓ କିନ୍ନରଙ୍କ ସୁରକ୍ଷା, କଲ୍ୟାଣ ତଥା ସେମାନଙ୍କୁ ରୋଜଗାରକ୍ଷମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ନାସନାଲ କାଉନସିଲ ଅଫ ଟ୍ରାନ୍ସଜେଣ୍ଡର ପର୍ସନ୍ସ (ଏନସିଟିପି)ର ଏକ ପ୍ରତିନିଧି ଦଳ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ ବୀରେନ୍ଦ୍ର କୁମାରଙ୍କୁ ଗୁରୁବାର ଭେଟିଛନ୍ତି । କାଉନସିଲର ପୂର୍ବଜୋନ ପ୍ରତିନିଧି ମୀରା ପରିଡା, ଏକ୍ସପର୍ଟ ମେମ୍ବର ରଚନା ପ୍ରସାଦ, ରଞ୍ଜିତା ସିହ୍ନା ମନ୍ତ୍ରୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସମଲିଙ୍ଗୀଙ୍କୁ ସମାଜନରେ ଉଚିତ ସ୍ଥାନ ଦେବାକୁ ପ୍ରତିନିଧି ଦଳ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।
ବିଜେଡି ମହିଳା ସେଲ ସମ୍ପାଦିକା ମୀରା ପରିଡା ରାଜ୍ୟ ତଥା ଦେଶରେ କିନ୍ନରଙ୍କ କଲ୍ୟାଣ ପାଇଁ କାର୍ଯ୍ୟକରି ଆସୁଛନ୍ତି । ତାଙ୍କ ଦ୍ୱାରା ରାଜ୍ୟର ଅଧିକାଂଶ କିନ୍ନର ଶିକ୍ଷାଲାଭ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପୂର୍ବରୁ ଭିକ୍ଷାବୃତ୍ତି ତଥା ବିଭିନ୍ନ ଅସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା କିନ୍ନର ଧୀରେ ଧୀରେ ମୀରାଙ୍କ ଆନ୍ତରିକ ଉଦ୍ୟମରୁ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦରେ କାର୍ଯ୍ୟକରିବା ସହ ସମ୍ମାନଜନକ ଜୀବନ ଯାପନ କରିବାରେ ସକ୍ଷମ ହେଲେଣି ।