ପୁଲୱାମା: ଜମ୍ମୁ-କଶ୍ମୀରର ଅବନ୍ତିପୁରାର ତ୍ରାଲ ଅନ୍ତର୍ଗତ ନାଗବେରାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିହତ । ସମସ୍ତ ନିହତ ଆତଙ୍କୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ଜୈଶର ପୁରୁଖା ଆତଙ୍କବାଦୀ ୱାକୀଲ ଶାହ ମୃତକଙ୍କ ମଧ୍ୟରେ ରହିଛି । କିଛି ଦିନ ପୂର୍ବରୁ ବିଜେପି ନେତାଙ୍କୁ ଗୁଳି କରିବା ଘଟଣାରେ ୱାକୀଲ ସଂଶ୍ଲୀଷ୍ଟ ଥିଲା ।
ବିଶେଷ ସୂତ୍ରରୁ ଖବର ମିଳିଥିଲା କି ନାଗବେରାନ ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଖବର ଆଧାରରେ ଜମ୍ମୁ-କଶ୍ମୀର ପୁଲିସ ଓ ଆର୍ମି ପକ୍ଷରୁ ପୂରା ଅଞ୍ଚଳକୁ ଘରୋବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଖେରାବନ୍ଦୀ ଦେଖି ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ଜବାବରେ ସୁରକ୍ଷାବଳ ପକ୍ଷରୁ ଗୁଳିବାରି କରାଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବାରିରେ ୩ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରରୁ ୩ଟି ଏକେ ୪୭ ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି।
ଶୁକ୍ରବାର ରାତିରେ ହିଜବୁଲ ମୁଜାହିଦ୍ଦିନର ହିଟ୍ ସ୍କ୍ୱାଡ ପାଇଁ କାମ କରୁଥିବା ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ପୁଲୱାମାର ଖେରୱ ଜଙ୍ଗଲ ନିକଟରେ ଘଟିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଥିଲା ବୋଲି କାଶ୍ମୀର ଆଇଜି ସୂଚନା ଦେଇଛନ୍ତି ।
