ଇମ୍ଫାଲ: ମଣିପୁରରେ ଆତଙ୍କବାଦୀ ଖେଳିଛନ୍ତି ରକ୍ତର ହୋଲି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସମେତ ୭ ଜଣଙ୍କୁ ଆତଙ୍କବାଦୀମାନେ ବର୍ବର ହତ୍ୟା କରିଥିଲେ। ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିଶୁ ଓ ମହିଳା । ଉଭୟ ଶିଶୁ ଓ ମହିଳା କର୍ଣ୍ଣେଲଙ୍କ ପତ୍ନୀ ଓ ପୁତ୍ର ଥିଲେ । ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଏହି ଆକ୍ରମଣ ଘଟାଇଥିଲେ ଆତଙ୍କୀ । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବ୍ରେସନ୍ ଆର୍ମି(ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ(ଏମଏନପିଏଚ) ନିଜକୁ ଦାୟୀ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ମିଆଁମାର ସୀମାନ୍ତରେ କଡା ତଲାସି ଚାଲିଛି ।
ଏକ ସାମାଜିକ କାର୍ୟ୍ୟକ୍ରମରେ ଯୋଗ ଦେଇ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ,ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ଫେରୁଥିଲେ। ସେମାନଙ୍କ ସହ କ୍ୱିକ୍ ରିଆକ୍ସନ ଟିମ୍ର କିଛି ଯବାନ ମଧ୍ୟ ଥିଲେ। ତେବେ ସେହକେନ୍ ଗାଁ ନିକଟରେ ହଠାତ୍ ସେମାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ପ୍ରଥମେ ଆଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳିମାଡ଼ କରିଥିଲେ।