ଭାରତୀୟ ଭାବେ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ
ଭୁବନେଶ୍ୱର: ଆଜି ସାରା ଦେଶରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ସାମିଲ ହୋଇଥିଲେ। ଆଜି ସାରାଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଭାରତୀୟ ଭାବେ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିଜର ଅଭିଭାଷଣରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପାର୍ବତୀ ଗିରିଙ୍କ ପର୍ଯ୍ୟନ୍ତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଆମ ଦେଶର ଶହୀଦ ହୋଇଥିବା ବୀର ଯବାନଙ୍କୁ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗତ ୭୫ ବର୍ଷ ମଧ୍ୟରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି। ଏହି ୭୫ ବର୍ଷରେ ଓଡି଼ଶା ଅନେକ କିଛି ହାସଲ କରିବା ସହ ଦେଶକୁ ବାର୍ତ୍ତା ଦେଇଛି। ଓଡ଼ିଶାରେ ସ୍ୱଚ୍ଛତାର ନୂଆ ଯୁଗ ଆରମ୍ଭ ହୋଇଛି। ଓଡି଼ଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶନ ସାଜିଛି। ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ ହେବା, ସଫଳ ବିପର୍ଯ୍ୟୟ ମୁକାବିଲା ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିବା, ସ୍ପୋର୍ଟସ ହବ ଭାବେ ପରିଚୟ ସୃଷ୍ଟି କରିବା, ୭୦ ଲକ୍ଷ ମହିଳାଙ୍କୁ ସଶକ୍ତିକରଣ କରିବା ପ୍ରଭୃତି ଓଡି଼ଶାର ଜୟଯାତ୍ରା ଜାରି ରହିଛି।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ମୁଖ୍ୟ ଫୋକସ ତେଣୁ ସ୍କୁଲରେ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ସୃଷ୍ଟି କରିଛି। କୋଟିଆରୁ ଆରମ୍ଭ କରି ଭୁବନେଶ୍ୱରର ଆଇକନିକ ୱେଭି ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ଖୋଲାଯାଉଛି। ସ୍ୱାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ଲାଗି ୩ ହଜାର ଗଡତି ସ୍ଥାପନ କରାଯାଉଛି। ଜନଜାତି ଭାଇ ଭଉଣୀଙ୍କ ବିକାଶ ଓ ସେମାନଙ୍କର ସଶକ୍ତିକରଣ କ୍ଷେତ୍ର ଓଡି଼ଶା ବହୁତ ଭଲ କାମ କରିଛି। ୨୫ ବର୍ଷ ପରେ ସ୍ୱାଧୀନତା ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ପଡିବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡି଼ଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ ସମୟ ଦେଶ ପାଇଁ ଦେଇ ପାରିବା ତେବେ ଆମେ ବହୁତ ବଡ ପରିବର୍ତ୍ତନ ଆଣିପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହା ପରେ ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ପରେ ବିରଳ ଫଟୋ ଚିତ୍ର ପ୍ରଦର୍ଶନୀ ଓ ଅହିଂସା ରଥର ଶୁଭ ଉଦଘାଟନ କରିଥିଲେ।
