କେଉଁଝର: ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଭାଲୁମାନଙ୍କର ପ୍ରାଦୂଭାବ ବଢିବାରେ ଲାଗିଛି। ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମଧ୍ୟକୁ ଚାଲି ଆସୁଛନ୍ତି। ଫଳରେ ଗାଁମାନଙ୍କରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାଲୁମାନେ ଗାଁର ସାଧାରଣ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଉଛନ୍ତି। ବେଳେ ବେଳେ ଲୋକମାନେ ଭାଲୁ ଆକ୍ରମଣର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ସୂଚନା ଅନୁସାରେ କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଠାଗୋଲା ପଞ୍ଚାୟତର ମରାଗୋଳା ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣଙ୍କ ସମ୍ପୃକ୍ତ ଗାଁର ମସୁରୀ ଜୁଆଙ୍ଗ ବୋଲି ଜଣାପଡିଛି। ମସୁରୀ ଘର ପାଖରେ ଥିବା ନିଜ ବିଲକୁ କାମ କରିବାକୁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧା ଜଣଙ୍କ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ବୃଦ୍ଧା ଜଣଙ୍କୁ ଗୁରୁତର ଅବସ୍ଥାରେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ କର୍ମଚାରୀଙ୍କ ଅପରିଣାମ ଦର୍ଶିତା ଯୋଗୁ ଭାଲୁଙ୍କ ପ୍ରାଦୂଭାବ ବଢୁଛି। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
previous post
