ଭୁବନେଶ୍ୱର/ଭଦ୍ରକ : ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ । ଏ ନେଇ ସୂଚନା ଦେଇଛନ୍ତି ସିଇଓ ସୁଶୀଲ କୁମାର ଲୋହାନି ।
ସିଇଓଙ୍କ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସଂସ୍କୃତି ଭବନରେ ହୋଇଛି ମତ ଗଣନା କେନ୍ଦ୍ର । ମତ ଗଣନା ସକାଳ 8 ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି 8.30 ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି 14 ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । 252 ବୁଥ ଥିବାରୁ 18 ରାଉଣ୍ଡ ଗଣନା ହେବ । 18 ରାଉଣ୍ଡ ଗଣନା ପରେ 5ଟି ଭିଭିପାଟର ଗଣନା ହେବ । କ୍ରସ ଭେରିଫିକେସନ କରିବା ଲାଗି ଏହା କରାଯିବ ।
ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ ।
ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ 3 ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।
ଧାମନଗର ଉପନିର୍ବାଚନରେ 68.98 ପ୍ରତିଶତ ମତଦାନ ହୋଇଛି । ଭୋଟ ଦେବାରେ ପୁରୁଷଙ୍କ ଠାରୁ ମହିଳା ଆଗରେ ରହିଛନ୍ତି । ଧାମନଗରରେ 238417 ଭୋଟରଙ୍କ ମଧ୍ୟରୁ ମୋଟ ଭୋଟ ଦାନ କରିଛନ୍ତି 164465 ଜଣ ଭୋଟର । ପୁରୁଷ 79011 ଜଣ ଭୋଟ ଦେଇଥିବାବଳେ 85452 ମହିଳା ଓ ଅନ୍ୟାନ୍ୟ 2 ଜଣ ଭୋଟ ଦାନ କରିଛନ୍ତି । 74.08 ପ୍ରତିଶତ ମହିଳା ଭୋଟ ଦେଇଥିବାବେଳେ 64.21 ପ୍ରତିଶତ ପୁରୁଷ ଭୋଟ ଦେଇଛନ୍ତି