(ଭୁବନେଶ୍ବର) : ରାଜ୍ୟରେ ତାପମାତ୍ରା ଦୁଇ ଦିନ ତଳେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି ଉପରେ ରହୁଥିବା ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ସ୍ଥିତିକୁ ଫେରିଛି। ତାପମାତ୍ରା ଖସିବାରେ ଲାଗିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ଏପାଖ ସେପାଖ ହୋଇପାରେ। ନ ହେଲେ ସ୍ବାଭାବିକ ରହିବ। ମଙ୍ଗଳବାର ସକାଳ ସମୟରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି।
ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୦.୯, ଫୁଲବାଣୀରେ ୧୧, ନବରଙ୍ଗପୁର ଓ କୋରାପୁଟରେ ୧୧.୪, ଝାରସୁଗୁଡ଼ାରେ ୧୨.୬, ସୁନ୍ଦରଗଡ଼ରେ ୧୩, ଭବାନୀପାଟଣାରେ ୧୩.୫, ଢେଙ୍କାନାଳରେ ୧୩.୬, ସୋନପୁରରେ ୧୩.୭, ବଲାଙ୍ଗୀର ଓ ତାଳଚେରରେ ୧୪.୨, ଭଦ୍ରକରେ ୧୪.୫ ରହିଥିଲା। ଭୁବନେଶ୍ବର ସହରର ତାପମାତ୍ରା ୧୫.୭ ଡିଗ୍ରିକୁ ଖସି ଆସିଛି, ଯାହାକି ସ୍ବାଭାବିକ ୧୫.୯ ଡିଗ୍ରି ତୁଳନାରେ ସାମାନ୍ୟ କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।