ଓଡିଶା

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା

ଭୁବନେଶ୍ୱର:  ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଦେଶର ସମ୍ମାନଜନକ ‘ସ୍କଚ୍‍’ ସମ୍ମାନରେ ଭୂଷିତ ହୋଇଛି । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି । ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ  ଯୋଡ଼ିବା, ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ପରିସର ପ୍ରଦାନ କରିବା, ଆତ୍ମନିଯୁକ୍ତି ନେଇ ତାଲିମ୍‍ ଓ କର୍ମଶାଳା ଏବଂ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ୱତନ୍ତ୍ର ଯୋଜନା ଲାଗୁ ନେଇ ସଂଗଠନ ଶ୍ରେଷ୍ଠ ବିବେଚିତ ହୋଇଛି । ଏନେଇ ନୂଆଦିଲ୍ଲୀ ସ୍ଥିତ ‘କନଷ୍ଟିଚ୍ୟୁସନ୍‍ କ୍ଲବ ଅଫ୍‍ ଇଣ୍ଡିଆ’ ଠାରେ ଆୟୋଜିତ  ଜାତୀୟ ସମ୍ମାନ ପ୍ରଦାନ ଉତ୍ସବରେ ‘ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଉପସ୍ଥିତ ରହି ସମ୍ପୃକ୍ତ ସମ୍ମାନ ଗ୍ରହଣ କରିଛନ୍ତି । ଅଗ୍ରଣୀ ‘ଏକ୍ସେଲେନ୍ସ ପାଭିଲିୟନ’ ବର୍ଗରେ ‘ମୋ କଲେଜ’କୁ ଏହି ସ୍କଚ୍‍ ସମ୍ମାନ ମିଳିଛି । ପିଆର ଭୋଟିଙ୍ଗ୍‍, ଅନଲାଇନ ଭୋଟିଙ୍ଗ୍‍ ଏବଂ ଖଣ୍ଡପୀଠ ମୂଲ୍ୟାୟନ  ପ୍ରକ୍ରିୟାରେ ଶ୍ରେଷ୍ଠ ବିବେଚିତ ହୋଇ ସମ୍ପୃକ୍ତ ସମ୍ମାନ ନେଇ ସଂଗଠନ ଚୟିତ ହୋଇଥିଲା । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଅଭିଯାନ ସ୍ୱରୂପ ୨୦୨୧ରେ ‘ମୋ କଲେଜ’ ଆରମ୍ଭ ହୋଇଥିଲା । ପରେ ରାଜ୍ୟର ସମୁଦାୟ ୮୫୦ ଗୋଟି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଶିକ୍ଷକ ଶିକ୍ଷା  ମହାବିଦ୍ୟାଳୟ, ପଲିଟେକନିକ୍‍, ଇଞ୍ଜିନିୟରିଂ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏହି ସଂଗଠନ ସହ ଅନୁବନ୍ଧିତ ହୋଇଥିଲା । ପରେ  ଶିକ୍ଷାନୁଷ୍ଠାନ ସବୁର ବିକାଶ ନେଇ ସମୁଦାୟ ୯୭ ଗୋଟି ପ୍ରକଳ୍ପ ହାତକୁ ନେଇଥିଲା । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୭ କୋଟି ବ୍ୟୟରେ ୬୧ଟି ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି । ଏହାଛଡ଼ା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସବୁର ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା ନେଇ ଏକ ବିଶାଳ ଅଭିଯାନ ହାତକୁ ନେବା  ସହ ଆଲୁମିନି ସେଲ୍‍ ଗଢ଼ିଛି । ଏଥିସହ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟାଧୁନିକ ଶୈକ୍ଷିକ ବାତାବରଣ ସହ ଆତ୍ମନିଯୁକ୍ତି ତାଲିମ୍‍ ମଧ୍ୟ ଯୋଗାଉଛି । ତେବେ ଶିକ୍ଷାନୁଷ୍ଠାନ  ରୂପାନ୍ତରଣ କ୍ଷେତ୍ରରେ ସଂଗଠନର ସଫଳ ଉଦ୍ୟମକୁ ବିଚାର କରି ‘ମୋ କଲେଜ’କୁ ଏହି ସମ୍ମାନଜନକ ଆୱାର୍ଡ଼ ମିଳିଛି ।‘ସ୍କଚ୍‍’ ହେଉଛି କୌଣସି ସ୍ୱାଧୀନ ଅନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସର୍ବୋତ୍ତମ ସମ୍ମାନ । ଯାହା ଦେଶ ହିତ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ, ସଂସ୍ଥା ଏବଂ ଯୋଜନାକୁ ନିୟମିତ ବ୍ୟବଧାନରେ ସମ୍ମାନିତ କରିଥାଏ । ତେବେ ଚଳିତ ଥର ଦେଶରେ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା  ସମୁଦାୟ ଏକ ହଜାର ସଂସ୍ଥା ଓ ଯୋଜନା ଏହି ଆୱାର୍ଡ଼ ନେଇ ଆବେଦନ କରିଥିଲେ । ଓଡ଼ିଶା ସରକାରଙ୍କ ଏକ ଶ୍ରେଷ୍ଠ ସଂଗଠନ ଭାବେ ‘ମୋ କଲେଜ’ ସମ୍ପୃକ୍ତ  ସମ୍ମାନ ନେଇ ଯୋଗ୍ୟ ବିବେଚିତ ହୋଇପାରିଛି । ତେବେ ଶିକ୍ଷାନୁଷ୍ଠାନଗୁଡିକୁ ଅଧିକ କ୍ରୀୟାଶୀଳ ଓ ବିକଶିତ କରିବା ନେଇ ଯୋଜନା କାର୍ଯ୍ୟକାରୀ ଠାରୁ ଏ ଯାବତ୍‍ ଆମର ଶ୍ରେଷ୍ଠ ଉଦ୍ୟମ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆଗକୁ ଅହୁରି ଅଧିକ ବେଗରେ କାର୍ଯ୍ୟ କରିବ । ଅପରପକ୍ଷେ ସମ୍ପୃକ୍ତ ‘ସ୍କଚ୍‍ ସମ୍ମାନ’ ଏହି ଅଭିଯାନକୁ ଆଗକୁ ବଢ଼ିବାରେ ଅଧିକ ପ୍ରେରଣା ଯୋଗାଇବ ବୋଲି ପୁରସ୍କାର ଗ୍ରହଣ ପରିପେକ୍ଷୀରେ ଅଧ୍ୟକ୍ଷ ଶ୍ରୀ  ଦାସନାୟକ ପ୍ରକାଶ କରିଛନ୍ତି।

Related posts

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

mahabharatanews