(ଭୁବନେଶ୍ୱର) : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ । ଭୁବନେଶ୍ୱର ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଓ କୃଷକଙ୍କ ବିକାଶ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ବିଷୟରେ ଆଲୋଚନା ହୋଇଥିଲା ।
ସୂଚନାନୁଯାୟୀ , ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍ ଗେଟ୍ସ । ମୁଖ୍ୟମନ୍ତ୍ରୀ -ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଆଜି ସକାଳୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ମା’ ମଙ୍ଗଳାବସ୍ତି ପରିଦର୍ଶନ କରିଥିଲେ ବିଲ୍ ଗେଟ୍ସ । ବସ୍ତି ବୁଲିବା ସହ ସେ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ । ଘରକୁ ଘର ଯାଇ ସେମାନଙ୍କୁ ଏଠାର କ’ଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଥିଲେ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବଜାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିବା ସହ ବିଲ୍ ଗେଟ୍ସ କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେଇଥିଲେ ।
