(ଭୁବନେଶ୍ୱର) : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ପୋଲିସ୍ ଏସ୍ଆଇଙ୍କୁ ମାଡ଼ ମାରିବା ଅଭିଯୋଗରେ କଟକ ସ୍ୱତନ୍ତ୍ର ଏମ୍ପି/ଏମ୍ଏଲଏ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାଯାଇଛି । ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ ଲାଗୁ କରାଯାଇଛି ।
ସୂଚନା ଅନୁସାରେ, ୨୦୧୧ ଜାନୁୟାରୀ ୨୩ତାରିଖରେ ଜଣେ ପୋଲିସ ଏସ୍ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ କୋର୍ଟରେ ଚାର୍ଜଫ୍ରେମ ହୋଇଛି । ଅଭିଯୋଗକାରୀ ଏସ୍ଆଇ ଜଣକ ହେଲେ ଅମିତାଭ ମହାପାତ୍ର । ସେତେବେଳେ ସେ ମଙ୍ଗଳାବାଗ ଥାନାରେ ଏସ୍ଆଇ ଥିବା ବେଳେ ଏବେ କମିସନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମ୍ୟୁଜିୟମ ଭିତରେ ପରିଦର୍ଶନ କରୁଥିବା ସମୟରେ ଭିତରକୁ କାହାରିକୁ ଯିବାକୁ ଏସ୍ଆଇ ମହାପାତ୍ର ଦେଉନଥିଲେ । ଏହି ସମୟରେ ଏମ୍ପି ମହତାବ ପଛରୁ ଆସିଲେ ଓ ତାଙ୍କୁ ଗାଳି କଲେ । ମହତାବଙ୍କୁ ଭିତରକୁ ଏସ୍ଆଇ ମହାପାତ୍ର ଛାଡ଼ି ଦେଇଥିଲେ । ଘଟଣାଟି ଉକ୍ତ ଦିନ ପ୍ରାୟ ୧୨.୩୦ସମୟରେ ଘଟିଥିଲା ।
