Uncategorized

ମୋହନ ସରକାରରେ ଶିକ୍ଷାକୁ ଗୁରୁତ୍ବ, ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ବର: ମୋହନ ମାଝୀ ସରକାରଙ୍କ ପ୍ରଥମ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ, ଭିତ୍ତିଭୂମିର ଗୁଣବତ୍ତା ଓ ସାମଗ୍ରିକ ଶିକ୍ଷଣ ଅଭିଜ୍ଞତାରେ ଉନ୍ନତି ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୩୫,୫୩୬ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ଏଥିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ ପାଇଁ ୩୩୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଓ ପିଏମ୍ ପୋଷଣ ପାଇଁ ୯୯୭ କୋଟି ଟଙ୍କା ସାମିଲ ରହିଛି।

ବିଜେଡି ସରକାର ଅମଳର ‘ମୋ ସ୍କୁଲ୍’ ଯୋଜନାର ନାଁ ବଦଳାଇ ଦେଇଛନ୍ତି ରାଜ୍ୟର ପ୍ରଥମ ବିଜେପି ସରକାର। ‘ମୋ ସ୍କୁଲ୍’ର ନାଁ ବଦଳାଇ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ରଖାଯାଇଛି।

ବଜେଟ୍ ଉପସ୍ଥାପନ ବେଳେ ମୋହନ ମାଝୀ କହିଛନ୍ତି, ଆମ ସରକାର ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତିର ବିକାଶ ଏବଂ ପ୍ରଣୟନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଉତ୍ସର୍ଗୀକୃତ। ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ, ତାହା ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଏବଂ Strengthening Teaching-Learning and Results for States (STARS) କାର୍ଯ୍ୟକାରୀ କରାଯିବ।

ସେହିଭଳି ଓଡ଼ିଶା ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବୀକୃତି, ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।

Related posts

ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତ କାଳରେ ମହନ୍ତ ନଜରବନ୍ଦ

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews

ମଙ୍ଗଳବାର ଭୋରୁ ଋଷ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୂତ

mahabharatanews