ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଏହି ବନ୍ଦ ଡାକରାରେ ସାମିଲ ହୋଇଛି ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ । ଓଡ଼ିଶା ବନ୍ଦକୁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି । ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ଦିଆଯାଇଛି ବନ୍ଦ ଡାକରା । ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବା ନେଇ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଉକ୍ତ ବନ୍ଦ ପାଳନକୁ ସମର୍ଥନ ଜଣାଇବା ପାଇଁ ପିସିସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର ତଥା ଓଇଆରସି ଓ ଟାଟା ପାୱାରର ମନମାନି ବିରୋଧରେ ଏହି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

କେବଳ ସେତିକି ନୁହେଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ଭୁବନେଶ୍ବରର ଜୟଦେବ ଭବନ, ମାର୍କେଟ ବିଲ୍ଡଂ, ରାଜମହଲ, ମାଷ୍ଟର କ୍ୟାଣ୍ଟିନ୍, ଖାରରବେଳ ନଗର, ସତ୍ୟନଗର, ରୂପାଲି ଛକ, ବାଣୀ ବିହାର, ସହୀଦ ନଗର, ରସୁଲଗଡ଼, ବମିଖାଲ, ଲକ୍ଷ୍ମୀ ସାଗର, କଟକ ରୋଡ଼୍, ବରଗଡ଼, କଳ୍ପନା, ରବି ଟକିଜ୍, ସାମନ୍ତାରାୟପୁର, ଲିଙ୍ଗିପୁର ଆଦି ସ୍ଥାନରେ କାର ରାଲୀ ଓ ପ୍ରଚାର କରି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବାକୁ ଆହ୍ବାନ ଦିଆଯାଇଛି ।
