୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ । ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍ରେ ହରାଇ ଦେଇଛି ଜିମ୍ବାୱେ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ଜିମ୍ବାୱେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ଦଳ ୨୦ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଓପନର ବ୍ରାଏନ୍ ବେନେଟ୍ ସର୍ବାଧିକ ୬୪ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଡିୱାନାସେ ମାରୁମାନି ଓ ରୟାନ୍ ବର୍ଲ ୩୫ ରନ୍ ଲେଖାଏଁ କରିଥିବାବେଳେ ଅଧିନାୟକ ସିକନ୍ଦର ରଜା ଶେଷ ଆଡକୁ ୨୫ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।

ଜିମ୍ବାୱେର ୧୭୦ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ରହିଥିଲା । ଜୋଶ ଇଙ୍ଗଲିସ୍ ମାତ୍ର ୮ ରନ କରି ପଡ଼ିଆରୁ ବିଦାୟ ନେଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାମେରନ ଗ୍ରୀନ୍ କୌଣସି ସ୍କୋର ନକରି ଆଉଟ୍ ହୋଇଥିଲେ । ଚତୁର୍ଥ ନମ୍ବରରେ ଆସିବା ପରେ ଟିମ୍ ଡେଭିଡ୍ ମଧ୍ୟ ବ୍ୟାଟରେ କିଛି ବିଶେଷ କରି ପାରି ନ ଥିଲେ ଏବଂ ମାତ୍ର ଦୁଇଟି ବଲ୍ ଖେଳି ଆଉଟ୍ ହୋଇଥିଲେ । ଅଧିନାୟକ ଟ୍ରାଭିସ୍ ହେଡ୍ ୧୫ ବଲ୍ ରେ ୧୭ ରନ କରି ବ୍ରାଡ୍ ଇଭାନ୍ସଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମ୍ୟାକ୍ସୱେଲ୍ ୩୨ ବଲ୍ ଖେଳି ୩୧ ରନ୍ କରି ଆଉଟ୍ ହୋଇଥିଲେ । ମ୍ୟାଟ୍ ରେନଶ ଗୋଟିଏ ପଟେ ପାରି ସମ୍ଭାଳି ଥିଲେ ମଧ୍ୟ ଶେଷରେ ୪୪ ବଲରେ ୬୫ ରନ୍ କରି ଆଉଟ୍ ହୋଇଥିଲେ । ଶେଷରେ ୧୯.୩ ଓଭରରେ ଅଷ୍ଟ୍ରେଲିଆ ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଜିମ୍ବାୱେର ପକ୍ଷରୁ ବ୍ଲେସିଂ ମୁଜାରାବାନି ଚାରି ଓଭର ରେ ମାତ୍ର ୧୭ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ । ବ୍ରାଡ୍ ଇଭାନ୍ସ ୩.୩ ଓଭରରେ ୨୩ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ ।
