ରାଜ୍ୟର ସହରାଞ୍ଚଳ ବିକାଶକୁ ଆହୁରି ଗତି ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୩୭ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମୋଟ ୪୯୪ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ। ମୋଟ ୭୪ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟର ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଭର୍ଚୁଆଲ ମାଧ୍ୟମରେ କରିବେ।
ଏହି କାର୍ଯ୍ୟକ୍ରମରେ ୩୧ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ୩୬ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ୩୪୪ଟି ପ୍ରକଳ୍ପର ଲୋକାର୍ପଣ ହେବ। ସେହିପରି ୧୯ଟି ୟୁଏଲ୍ବିରେ ୩୭ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟରେ ୧୫୦ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ।
କଟକ ମହାନଗର ନିଗମରେ ୫୦ଟି ଏବଂ ରାୟଗଡ଼ାରେ ୨୨ଟି ନୂତନ ପ୍ରକଳ୍ପର କାମ ଆରମ୍ଭ ହେବ। ସେହିପରି ବୌଦ୍ଧଗଡ଼ରେ ସର୍ବାଧିକ ୫୮ଟି, ବାସୁଦେବପୁରରେ ୫୪ଟି ଏବଂ ରାଉରକେଲାରେ ୩୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସହରାଞ୍ଚଳରେ ଉନ୍ନତ ଭିତ୍ତିଭୂମି ଓ ନାଗରିକ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।
