ଓଡିଶା

ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ରଥଯାତ୍ରା ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା- ଏସବୁକୁ ଏକାଠି କରି ସମର୍ପଣ ମନୋଭାବ ନେଇ ସମସ୍ତ ସମ୍ପୃକ୍ତ ବଭାଗର ଅଧିକାରୀ ଓ କର୍ମଚାରୀ ତଥା ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବା ଆବଶ୍ୟକ। ଏହାଦ୍ୱାରା ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କ ହୃଦୟର ଠାକୁର। ରଥଯାତ୍ରା କେବଳ ପୁରୀ ନୁହେଁ, ସାରା ଓଡିଶା ଓ ସମଗ୍ର ଦେଶ ଓ ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏହି ପର୍ବ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସମସ୍ତ ଅଧିକାରୀ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ମହାପ୍ରଭୁଙ୍କ ଆଦେଶ ମନେ କରି ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁରକ୍ଷା ଓ ଭିଡ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷରେ ଯେଉଁ ଅଭିଜ୍ଞତା ମିଳିଛି ସେସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମସ୍ତ କାର୍ଯ୍ୟର ଉପଯୁକ୍ତ ମନିଟରିଙ୍ଗ୍ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ମହାପ୍ରଭୁଙ୍କ ସେବକମାନେ ସମୟାନୁବର୍ତ୍ତିତାର ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ। ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମ, ଡାକବାଜି ଯନ୍ତ୍ର ଓ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି, ଅନ୍ୟାନ୍ୟ ସେବା, ଟ୍ରାଫିକ ଚଳାଚଳର ସଦ୍ୟତମ ସ୍ଥିତି ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ଏଫ୍‌.ଏମ୍ ରେଡିଓ, ସାମାଜିକ ଗଣମାଧ୍ୟମ, ବିଭାଗୀୟ ୱେବ ସାଇଟ ତଥା ଟେଲିଭିଜନ ମାଧ୍ୟମରେ ପ୍ରଦାନ କରାଗଲେ ଅନେକ ସମସ୍ୟାକୁ ଏଡାଇ ହେବ ବୋଲି ସେ କହିଥିଲେ। ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡା ନଜର ରଖି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ହେଉଛନ୍ତି ଭାବର ଠାକୁର। ସେହି ଭାବର ସମ୍ପର୍କକୁ ସମ୍ମାନ ଦେଇ ସମସ୍ତେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ରଥଯାତ୍ରା ଠିକ୍ ଭାବରେ ସମ୍ପନ୍ନ ହୋଇପାରିବ। ସେ କହିଥିଲେ ଯେ, ସମସ୍ତ ଭକ୍ତ ଯେପରି ଏକ ସୁଖଦ ଆଧ୍ୟାତ୍ମିକ ଅନୁଭବ ନେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ, ସେଥିରେ ଆମ ସମସ୍ତଙ୍କର ସଫଳତା ଓ ଆମ ସମସ୍ତଙ୍କର ପୁଣ୍ୟ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖ- ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ସାମଗ୍ରିକ ପ୍ରସ୍ତୁତିର ବିବରଣୀ ପ୍ରଦାନ କରିଥିଲେ ଏବଂ ପୋଲିସ ମହାନିର୍ଦ୍ଦେଶକ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

Related posts

କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ସଡ଼କ ଦୁର୍ଘଟଣା

mahabharatanews

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews

ଇଣ୍ଡିଗୋ ଏୟାରଲାଇନ୍ସ ବିରୋଧରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ସରକାର

mahabharatanews