ରାଜ୍ୟରେ ପୁଣି ଜଣେ ବଡ଼ ସରକାରୀ ବାବୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ। ଜୟପୁର ଖଣି ଉପନିର୍ଦ୍ଦେଶକ (Deputy Director of Mines) ସତ୍ୟଜିତ୍ ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ବାଲି ବ୍ୟବସାୟୀଙ୍କଠାରୁ ଖଣି ଲିଜ୍ ଅବଧି ବଢ଼ାଇବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଗିରଫ କରିଛି।

ସତ୍ୟଜିତ୍ ରାଉତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଜୟପୁର କାର୍ଯ୍ୟାଳୟ ସମେତ କଟକର ୨ଟି ସ୍ଥାନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ବ୍ୟାପକ ଛାନଭିନ୍ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଲାସି ସମୟରେ ବାବୁଙ୍କ ଘରୁ ମୋଟ ୪ ଲକ୍ଷ ୯୦ ହଜାର ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଜଣେ ବାଲି ବ୍ୟବସାୟୀ ନିଜର ବାଲି ସୈରାତର ଲିଜ୍ ଅବଧି ବଢ଼ାଇବା ପାଇଁ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ କାମ କରାଇଦେବା ବଦଳରେ ସତ୍ୟଜିତ୍ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ବ୍ୟବସାୟୀ ଜଣକ ଏନେଇ ପୂର୍ବରୁ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଯୋଜନା ମୁତାବକ ଆଜି ବାବୁ ଟଙ୍କା ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ସ୍ୱତନ୍ତ୍ର ଦଳ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁର୍ନୀତିଖୋର ଅଧିକାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରାଯାଉଛି। ବାବୁଙ୍କର ଆଉ କେଉଁ କେଉଁ ସ୍ଥାନରେ ବେଆଇନ ସମ୍ପତ୍ତି ରହିଛି, ସେନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।
