ଓଡିଶା

ସେତୁ ପାର ବେଳେ ବଡ଼ ଅଘଟଣ: ନଦୀକୁ ଖସିପଡ଼ିଲେ ଦମ୍ପତି ଓ ୩ ବର୍ଷର ପୁଅ

ଯାଜପୁର ସଦର ଥାନା ଅନ୍ତର୍ଗତ ଶିବାଛକ-ଦୁଧେଇ ସେତୁ ଉପରେ ଘଟିଛି ଏକ ବଡ଼ ଧରଣର ଅଘଟଣ। ଗତକାଲି ବିଳମ୍ବିତ ରାତିରେ ବାଇକ୍‌ ଯୋଗେ ସେତୁ ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲେ ଏକ ଦମ୍ପତି ଓ ସେମାନଙ୍କର ୩ ବର୍ଷର ଶିଶୁପୁତ୍ର। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ପୁଅ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ମୃତ ମହିଳା ହେଉଛନ୍ତି ସ୍ଥାନୀୟ ରୁଦ୍ରପୁର ଗ୍ରାମର ସତ୍ୟବ୍ରତ ଓଝାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଓଝା। ସୂଚନା ଅନୁସାରେ, ଗତକାଲି ରାତିରେ ସତ୍ୟବ୍ରତ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଓ ୩ ବର୍ଷର ପୁଅକୁ ନେଇ ବାଇକ୍‌ରେ ଶିବାଛକ-ଦୁଧେଇ ସେତୁ ଦେଇ ଯାଉଥିଲେ। ତେବେ ସେତୁ ଉପରେ ଯାଉଥିବା ବେଳେ କୌଣସି କାରଣରୁ ବାଇକ୍‌ଟି ଭାରସାମ୍ୟ ହରାଇଥିଲା। ଫଳରେ ତିନିଜଣ ଯାକ ବାଇକ୍‌ ସହ ନଦୀକୁ ଖସିପଡ଼ିଥିଲେ।

ଦୁର୍ଘଟଣାରେ ସନ୍ଧ୍ୟାରାଣୀ ଓଝା ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ସତ୍ୟବ୍ରତ ଓ ତାଙ୍କ ୩ ବର୍ଷର ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ବାପା-ପୁଅଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ନଦୀରୁ ଦୁର୍ଘଟଣାଗ୍ରସ୍ତ ବାଇକ୍‌ଟିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ରୁଦ୍ରପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Related posts

କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା

mahabharatanews

ବିଶାକ୍ତ ଛତୁ ଖାଇ ୭ ଗୁରୁତର

mahabharatanews

ଡିନାମାଇଟ ବ୍ଳାଷ୍ଟ କରି ମାଛମରା ବନ୍ଦ କରିବାକୁ ଦାବି

mahabharatanews