ବଲିଉଡ୍ରୁ ରାଜନୀତି, ଆଉ ରାଜନୀତିରୁ ବିବାଦ। ପୁଣିଥରେ ଚର୍ଚ୍ଚାର ଶିରୋନାମାରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ। ଏଥର ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ହିମାଚଳ ପ୍ରଦେଶର ଶିମଲା ପୋଲିସ କଙ୍ଗନାଙ୍କ ବିରୋଧରେ ରୁଜୁ କରିଛି ଏଫଆଇଆର। ସୂଚନା ଅନୁସାରେ, ନଭେମ୍ବର ୧୦ ତାରିଖରେ କଙ୍ଗନାଙ୍କ ଯାଞ୍ଚ ହୋଇଥିବା X ଆକାଉଣ୍ଟରୁ ଗାନ୍ଧୀ ପରିବାରକୁ ନେଇ କିଛି ପୋଷ୍ଟ କରାଯାଇଥିଲା। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଆପତ୍ତିଜନକ ଇଙ୍ଗିତ ଥିବା ଅଭିଯୋଗ ହୋଇଛି। ସେହିପରି ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ପୋଷ୍ଟରେ ଆପତ୍ତିଜନକ ମନ୍ତବ୍ୟ ଥିବା ଅଭିଯୋଗ ଉଠିଛି।

ଶିମଲାର ବାସିନ୍ଦା ଅତୁଲ ଶର୍ମା ଏହି ପୋଷ୍ଟକୁ ନେଇ ହିମାଚଳ ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ନଭେମ୍ବର ୧୩ରେ ଏଫଆଇଆର ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬(୧)(b), ୩୫୩(୨) ଓ ୩୫୬(୨) ଅନୁସାରେ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି ଏବଂ ଡିଜିଟାଲ ପ୍ରମାଣ ସଂଗ୍ରହ କରୁଛି। ତେବେ ଏହି ମାମଲାରେ ଏଯାଏଁ ଅଭିଯୋଗ ପ୍ରମାଣିତ ହୋଇନାହିଁ। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଓ କଙ୍ଗନାଙ୍କ ପରବର୍ତ୍ତୀ ପ୍ରତିକ୍ରିୟା ଉପରେ।
