ଓଡିଶା

ବସ ଓଲଟି ୫ ଗୁରୁତର ଆହତ

(ମହାଭାରତ, ବାରିପଦା): ବାରିପଦା ଅଭିମୁଖେ ଯାଉଥିବା ଏକ ଘରୋଇ ବସ ଆରପଟା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏଠାରେ ଏକ ବିଲ ତଳକୁ ଓଲଟି ପଡିବାରୁ ଗାଡିରେ ଥିବା କିଛି ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ସୋମବାର ମହାଭାରତ ନାମକ ଏକ ଘରୋଇ ବସ ବଡସାହିରୁ ବାରିପଦା ଅଭିମୁଖେ ଯାଉଥିଲା । ବସରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ । ବସ୍ଟି ଆରପଟା ଛକ ନିକଟରେ ଭାରସାମ୍ୟ ହରାଇ ବିଲ ତଳକୁ ଖସି ପଡିଥିଲା । ଫଳରେ ଏଥିରେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀମାନଙ୍କୁ ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେହି ଅଞ୍ଚଳରେ ଆମ୍ବୁଲାନ୍ସ ଠିକ ସମୟରେ ପହଞ୍ଚି ନପାରିବାରୁ କିଛି ଯାତ୍ରୀଙ୍କୁ ବଡସାହି ବିଧାୟକ ସନାତନ ବିଜୁଳିଙ୍କ ବ୍ୟକ୍ତିଗତ ଗାଡିରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୫ ଯାତ୍ରୀ ବାରିପଦା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Related posts

ସୋମନାଥ ଦେବ ମହିଳା ବିଦ୍ୟାଳୟରେ ଆତ୍ମ ସୁରକ୍ଷା କର୍ମଶାଳା

mahabharatanews

ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

mahabharatanews

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews