(ମହାଭାରତ/ନୂଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୧୦୭ ଦିନ ତିହାର ଜେଲରେ ରହିବା ପରେ ସେ ଜେଲରୁ ବାହାରିଛନ୍ତି । ପୂର୍ବରୁ ସିବିଆଇ ରୁଜୁ କରିଥିବା ମାମଲାରେ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା । କିନ୍ତୁ ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଗତ ଅକ୍ଟୋବର ୧୭ ତାରିଖରୁ ସେ ଇଡି ହାଜତରେ ରହିଥିଲେ ।
ତେବେ ବୁଧବାର ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ଦେବା ବେଳେ କିଛି ସର୍ତ୍ତ ରଖିଛନ୍ତି । ଜେଲରୁ ବାହାରେ ରହିବା ସମୟରେ ସେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଓ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା ନ କରିବାକୁ ି ସୁପ୍ରିମକୋର୍ଟ ତାଗିଦ କରିଛନ୍ତି । ଏପରିକି ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ଚିଦାମ୍ବରମ କୌଣସି ସାର୍ବଜନୀନ ମତ ରଖିପାରିବେ ନାହିଁ କି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିନା ଅନୁମତିରେ ସେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୨୮ରେ ବିଚାରପତି ଆର. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
previous post