(ପୁରୀ) : ଆଜି ଚିତଉ ଅମାବାସ୍ୟା ପରିପ୍ରେକ୍ଷୀରେ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଆଜି ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କିଛି ନୀତିକାନ୍ତି ରହିଛି ଯେଉଁଥି ପାଇଁ ସାଧାରଣ ଦର୍ଶନ ବାରଣ କରାଯାଇଛି । ତେବେ ଶ୍ରୀଜିଉଙ୍କ ଦର୍ଶନ ୪ଘଣ୍ଟା କରିପାରିବେ ନାହିଁ ଶ୍ରଦ୍ଧାଳୁ ।
ଅନ୍ୟପଟେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଚଢା ଦରରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଏବଂ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଣିକି ଆନନ୍ଦ ବଜାରରେ ଅଣ ସୁପକାର ମାନେ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ । ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି ।
