ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀକୁ ହାଇଆଲର୍ଟରେ ରଖ।। ଯାଇଛି । ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ନେଇ ଆତଙ୍କବାଦୀ ସଂଗଠନ ମସୁଧା କରୁଥିବା ସୂଚନା ମିଳିଛି । ତେଣୁ ଦିଲ୍ଲୀ ପୁଲିସକୁ ଆଲର୍ଟରେ ରହିବାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି । ଜମ୍ମୁ ଓ ଉତ୍ତରପ୍ରଦେଶରେ ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣ ବିଫଳ ହେବାରୁ ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି । ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିପାରନ୍ତି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି ।
ଦିଲ୍ଲୀ ପୋଲିସର ଆତଙ୍କୀ ନିରୋଧୀ ସ୍ପେଶାଲ୍ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲାହୋରର ହାଫିଜ ସଇଦର ବାସଭବନ ବାହାରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସହିତ ଭାରତର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆଇଏସଆଇ ଏବଂ ହାଫିଜ ସଇଦ ଏହି ବିସ୍ଫୋରଣର ବାହାନା କରି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରାଇ ପାରନ୍ତି । ଦେଶର ମେଟ୍ରୋ ସହରରେ ଡ୍ରୋନ୍ ଆକ୍ରମଣର ଅନେକ ସମ୍ଭାବନା ରହିଛି ।