ରାତିର ନିଶବ୍ଦତା ଭିତରେ ଶୋଇଥିଲେ ପରିବାର। ଆଖିରେ ଥିଲା ଆଗକୁ ଆସୁଥିବା ନୂଆ ଅତିଥିକୁ ନେଇ ଅନେକ ସ୍ୱପ୍ନ। ହେଲେ କିଏ ଜାଣିଥିଲା, ଭୋର ସକାଳର ଆଲୁଅ ଦେଖିବା ପୂର୍ବରୁ ସବୁକିଛି ଅନ୍ଧାର ହୋଇଯିବ! ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଖବର, ଯାହା ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତର ପୂର୍ଣ୍ଣିଗୁଡ଼ା ଗ୍ରାମ। ଏହି ଗ୍ରାମର ୨୪ ବର୍ଷୀୟା ଗର୍ଭବତୀ ମହିଳା ବୈଦି ଭତରା ଏବଂ ତାଙ୍କ ସ୍ୱାମୀ ସଦନ ଭତରା ରାତିରେ ଖାଇସାରି ଘର ଭିତରେ ତଳେ ଶୋଇଥିଲେ। ସବୁଦିନ ଭଳି ସବୁକିଛି ସାଧାରଣ ଥିଲା। ହେଲେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ବୈଦିଙ୍କୁ କିଛି କାମୁଡ଼ିବା ଭଳି ଅନୁଭବ ହୋଇଥିଲା। ସେ ସଙ୍ଗେ ସଙ୍ଗେ ନିଦରୁ ଉଠି ଏକଥା ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ପରିବାର ଲୋକେ ଘର ଭିତରେ ଖୋଜାଖୋଜି କରିବା ବେଳକୁ ସେଠାରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଥିଲା। ସାପ କାମୁଡ଼ିଥିବା ସ୍ପଷ୍ଟ ହେବା ପରେ, କୌଣସି ବିଳମ୍ବ ନକରି ବୈଦିଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ବୈଦି ଦୁନିଆକୁ ଅଲବିଦା କହିସାରିଥିଲେ। କେବଳ ବୈଦି ନୁହନ୍ତି, ତାଙ୍କ ଗର୍ଭରେ ଥିବା ସେହି ଅନାଗତ ଶିଶୁଟିର ଜୀବନ ମଧ୍ୟ ଚାଲିଯାଇଛି। ଏହି ଅକାଳ ବିୟୋଗ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ମାଆ ଓ ଛୁଆଙ୍କୁ ଏକାଠି ହରାଇ ସ୍ୱାମୀ ଏବଂ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣା ପରେ ପୂର୍ଣ୍ଣିଗୁଡ଼ା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଏବେ ଗଭୀର ଶୋକର ଛାୟା ଖେଳିଯାଇଛି। ବର୍ଷା ଦିନ ଆରମ୍ଭ ହେଉଥିବାରୁ ସାପ ଭୟ ବଢ଼ୁଛି, ତେଣୁ ସମସ୍ତେ ସତର୍କ ରୁହନ୍ତୁ।
