ଓଡିଶା

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କଳ୍ପନା ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା । ନିଆଁ ଲାଗି ମା’ ତାରିଣୀ ଭେଣ୍ଡିଂ ଜୋନ୍ରେ ଥିବା ୧୭ଟି ଫଳ ଦୋକାନ ଜଳିଯାଇଛି । ଏଥିସହ ଏହି ଦୋକାନ ଗୁଡ଼ିକରେ ଥିବା ବହୁ ପରିମାଣର ଫଳ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣାପଡିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନାନୁଯାୟୀ, ପ୍ରତି ଦିନ ଭଳି ରାତି ପ୍ରାୟ ୧୦ଟାରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଉ କେତେଜଣ ବ୍ୟବସାୟୀ ଦୋକାନ ଭିତରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଗୋଟିଏ ଦୋକାନରୁ ନିଅାଁ ଓ ଧୂଆଁ ବାହାରୁ ଥିବା ଦେଖି କେହି ଜଣେ ପାଟି କରି ଡାକ ପକାଇ ଥିଲେ। ଏହାଶୁଣି ଭିତରେ ଶୋଇଥିବା ବ୍ୟବସାୟୀମାନେ ବାହାରକୁ ଚାଲି ଆସିଥିଲେ। ସେମାନେ ବାଲି ଓ ପାଣି ପକାଇଥିଲେ ମଧ୍ୟ ନିଅାଁକୁ ଆୟତ୍ତ କରି ପାରି ନ ଥିଲେ। କଳ୍ପନା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଅାଁ ଏତେ ଜୋରରେ ଲାଗିଥିଲା ଯେ, ସେମାନେ ଲିଭାଇବାକୁ ପ୍ରାୟ ଦେଢ ଘଣ୍ଟା ଲାଗିଥିଲା। ବିଦ୍ୟୁତ୍ ଶର୍ଟସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରିଛନ୍ତି। କେଶବ ସାହୁ, ସୁଦୀପ୍ତ ସାହୁ, କେଶବ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ସାହୁ, ହୃଦାନନ୍ଦ ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ବାବାଜି ଦାସ, ମାନଗୋବିନ୍ଦ ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଦୋକାନ ଜଳି ଯାଇଥିବା ଜଣାପଡିଛି। ସୂଚନାଥାଉ କି, ୨୦୧୫ ରେ ଏହି ଭେଣ୍ଡିଂ ଜୋନର ପ୍ରାୟ ୨୫ ଦୋକାନ ପୋଡି ଯାଇଥିଲା।

Related posts

ଇଚ୍ଛାପୁର ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ବେଆଇନ ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ

mahabharatanews

କରୋନା: ସୁଆର ମହାସୁଆରଙ୍କ ନିମନ୍ତେ ସଚେତନା କାର୍ଯ୍ୟକ୍ରମ

mahabharatanews

Leave a Comment