ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗୋଟିଏ ପଟେ କରୋନା ସ୍ଥିତି ସାଙ୍ଗକୁ ଅନେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ବହୁ ରୋଗୀଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଗୁଆ ସତର୍କ ହୋଇଛନ୍ତି । ସାରା ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟି ୬୨ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଏଡ଼ାଇବାକୁ ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ମୋଟ ୩୮୪ ଅଗ୍ନିଶମ କର୍ମଚାରୀ ଏହି କାର୍ଯ୍ୟରେ ୨୪ ଘଣ୍ଟିଆ କାମରେ ନିୟୋଜିତ ହୋଇଛନ୍ତି ।
ରାଜ୍ୟରେ କୋଭିଡ ପରିଚାଳନା ପାଇଁ କାର୍ଯ୍ୟକରୁଥିବା ସବୁ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀଙ୍କ ସହ ଆବଶ୍ୟକ ଅଗ୍ନି ନିର୍ବାପକ ଉପକରଣ ରଖାଯାଇଛି । କୌଣସି ହସ୍ପିଟାଲରେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଲେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ମଚାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ । ସମସ୍ତ କୋଭିଡ୍ ହସ୍ପିଟାଲେ ମକଡ୍ରିଲ କରି ହସ୍ପିଟାଲର କର୍ମଚାରୀଙ୍କୁ ସଚେତନ କରାଯାଉଛି । ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର ପ୍ରକ୍ରିୟା ଶିକ୍ଷା ଦିଆଯାଉଛି । ଏହିଭଲି ରାଜ୍ୟର ଅନ୍ୟ କିଛି ହସ୍ପିଟାଲରେ ମଧ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ନେଇ ସଚେତନ କରାଯାଉଛି।