(ଆନ୍ଧ୍ରପ୍ରଦେଶ) : ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହା ପରେ ରବିବାର ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍ସ୍ଥିତ କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିବା ସୂଚନା ରହିଛି ।
ସୂଚନାନୁଯାୟୀ, ବିଚାର ବିଭାଗୀୟ ହାଜତ ରହଣି ସମୟରେ ନାଇଡୁଙ୍କୁ ଘରରନ୍ଧା ଖାଦ୍ୟ ପରି ଖାଦ୍ୟ, ଔଷଧପତ୍ର ଓ ସ୍ୱତନ୍ତ୍ର ପ୍ରକୋଷ୍ଠ ଲାଗି ବ୍ୟବସ୍ଥା ପାଇଁ ଅଦାଲତ ମଞ୍ଜୁରି ଦେଇଥିଲେ । ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଯୋଗୁଁ ୭୩ ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲ୍ ଭିତରେ ପୃଥକ୍ କୋଠରି ଦିଆଯାଇଛି । ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା ।