ରାଜ୍ୟରେ ବିକାଶମୂଳକ ଯୋଜନାର ବ୍ୟୟ ହାରକୁ ନେଇ ସରକାରଙ୍କ ବଢ଼ିଲା ଚିନ୍ତା। ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବା ବେଳେ ବିଭାଗଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସରକାର।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ୧୪ଟି ପ୍ରମୁଖ ବିଭାଗର ଯୋଜନା ବ୍ୟୟ ସ୍ଥିତିର ସମୀକ୍ଷା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ମୋଟ ଯୋଜନା ବ୍ୟୟ ୬ ହଜାର ୪୮୭ କୋଟି ଟଙ୍କା ରହିଛି। ଏହା ମୋଟ ବଜେଟର ମାତ୍ର ୩ ଦଶମିକ ୫ ପ୍ରତିଶତ। ଏତେ କମ୍ ବ୍ୟୟ ହାରକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି।
କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ SNA-SPARSH ବ୍ୟବସ୍ଥା ସମ୍ପର୍କିତ ପ୍ରଶାସନିକ ଓ ପ୍ରକ୍ରିୟାଗତ ସମସ୍ୟା ବାଧକ ସାଜୁଥିବା ବେଳେ, ଏହାର ସମାଧାନ ପାଇଁ ଖୁବ୍ ଶୀଘ୍ର ରିଜର୍ଭ ବ୍ୟାଙ୍କ, ଟ୍ରେଜେରୀ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯିବ। ପୂର୍ତ୍ତ ବିଭାଗର ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ନଥିବା ବୈଠକରେ ଉଲ୍ଲେଖ କରାଯାଇଛି। ୧୦ ହଜାର ୭୨୬ କୋଟି ଟଙ୍କାର ବଜେଟ ଥିଲେ ମଧ୍ୟ ମେ ୨୫ ସୁଦ୍ଧା ମାତ୍ର ୫ ଦଶମିକ ୧୧ ପ୍ରତିଶତ ଖର୍ଚ୍ଚ ହୋଇଛି। ବୃହତ ପୁଞ୍ଜି ନିବେଶ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୫ ହଜାର କୋଟି ଟଙ୍କାରୁ ଅଧିକ ବଜେଟ ରହିଥିଲେ ମଧ୍ୟ ପ୍ରମୁଖ ରାଜ୍ୟ ଯୋଜନାଗୁଡ଼ିକରେ ବ୍ୟୟ ହାର ମାତ୍ର ୧ ଦଶମିକ ୦୩ ପ୍ରତିଶତ ରହିଛି। ଅନ୍ତ୍ୟୋଦୟ ଗୃହ ଯୋଜନା, ବିକଶିତ ଗାଁ, ବିକଶିତ ଓଡ଼ିଶା ଏବଂ ବସୁଧା ଭଳି ଯୋଜନାରେ ବ୍ୟୟ ଗତି ବଢ଼ାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ମିଳିଛି। ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ବାଣିଜ୍ୟ ଓ ପରିବହନ ବିଭାଗର ସ୍ଥିତି। ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ୧ ହଜାର ୮୫ କୋଟି ଟଙ୍କା ଏବଂ ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୧୦୩ କୋଟି ଟଙ୍କା ବଜେଟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ। ସେହିପରି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବା OSRTC ପକ୍ଷରୁ ମଧ୍ୟ କୌଣସି ବ୍ୟୟ ହୋଇନାହିଁ। ଏହାକୁ ଗୁରୁତ୍ୱର ସହ ନେଇ ବିଭାଗୀୟ ସଚିବଙ୍କୁ ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି।
କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ଥିତି ମଧ୍ୟ ଚିନ୍ତାଜନକ। ୧ ହଜାର ୧୫୦ କୋଟି ଟଙ୍କାର ବଜେଟ ବିପରୀତ ବ୍ୟୟ ହାର ମାତ୍ର ୦ ଦଶମିକ ୪୭ ପ୍ରତିଶତ। ଏହା ସହ ୯୦୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ମଧ୍ୟ କୌଣସି ବ୍ୟୟ ହୋଇନାହିଁ। ଲମ୍ବିତ ଅନୁମୋଦନଗୁଡ଼ିକୁ ଶୀଘ୍ର ସମାଧାନ କରି ବ୍ୟୟ ବୃଦ୍ଧି କରିବାକୁ ବିଭାଗକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟୟ ହାର ୭ ଦଶମିକ ୫୧ ପ୍ରତିଶତ ରହିଥିବା ବେଳେ ନିରାମୟ ଯୋଜନାରେ ରୋଗୀଙ୍କୁ ଯୋଗାଯାଉଥିବା ଔଷଧର ଗୁଣବତ୍ତା ଉପରେ ବିଶେଷ ଜୋର ଦିଆଯାଇଛି। ନିମ୍ନମାନର କିମ୍ବା ଅବଧି ସରିଯାଇଥିବା ଔଷଧ ଯୋଗାଣ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କ କରାଯାଇଛି।
ଅନ୍ୟପକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନ ସବୁଠାରୁ ନିରାଶାଜନକ ରହିଛି। ୨ ହଜାର ୨୧୬ କୋଟି ଟଙ୍କାର ବଜେଟ ବିପରୀତ ବ୍ୟୟ ହାର ମାତ୍ର ୦ ଦଶମିକ ୧୦ ପ୍ରତିଶତ। ଏହା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଏକ ସମନ୍ୱିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷା ବୈଠକ ଶେଷରେ ସମସ୍ତ ବିଭାଗକୁ ବ୍ୟାଙ୍କ ଖାତାରେ ପଡ଼ି ରହିଥିବା ଅବ୍ୟବହୃତ ପାଣ୍ଠିକୁ ତୁରନ୍ତ ରାଜ୍ୟ ଟ୍ରେଜେରୀକୁ ଫେରସ୍ତ କରିବା, ଲମ୍ବିତ EFC ଓ SFC ଅନୁମୋଦନ ଶୀଘ୍ର ସମ୍ପନ୍ନ କରିବା ଏବଂ ବଜେଟ ଅନୁଯାୟୀ ବ୍ୟୟ ବୃଦ୍ଧି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
