ରାମ ମନ୍ଦିର ପୂଜକଙ୍କ ବଢିବ ଦରମା । ପୂର୍ବରୁ ପୂଜାରୀ ଓ ସେବକଙ୍କୁ କମ ଦରମା ମିଳୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ହେଲେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସେମାନଙ୍କ ଦରମା ବଢାଇଛନ୍ତି । ମନ୍ଦିର ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ରା କହିଛନ୍ତି ଯେ ରାମଲଲାଙ୍କ ସେବାରେ ନିୟୋଜିତ ପୂଜାରୀଙ୍କୁ ସମ୍ମାନଜନକ ଦରମା ମିଳିବା ଉଚିତ ବୋଲି ଧ୍ୟାନରେ ରଖି ତାଙ୍କ ଦରମା ପ୍ରତିବର୍ଷ ବୃଦ୍ଧି ପାଇଥାଏ। ସେହି ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ତାଙ୍କର ଦରମା ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ମାସକୁ ୧୫ହଜାର ଟଙ୍କା ପାଉଥିବା ବେଳେ ଏବେ ସେ ୨୫ହଜାର ଟଙ୍କା ଦରମା ପାଇବେ। ସେହିଭଳି ସେବକମାନେ ୮ହଜାର ଟଙ୍କା ବଦଳରେ ୧୫,୦୦୦ ଟଙ୍କା ଦରମା ପାଇବେ। ମୁଖ୍ୟ ପୂଜାରୀଙ୍କ ସହ ଜଡ଼ିତ ସହକାରୀ ପୂଜାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି। ସହକାରୀ ପୂଜାରୀ ବର୍ତ୍ତମାନ ପର୍ୟ୍ୟନ୍ତ ମାସିକ ୧୫ହଜାର ଟଙ୍କା ପାଉଥବବା ବେଳେ ଏବେ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଦରମା ବଢ଼ିବା ପରେ ପୂଜାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ଚଳିତ ମାସରୁ ବର୍ଦ୍ଧିତ ଦରମା ମିଳିବ ବୋଲି ସେ କହିଛନ୍ତି।
