ଭୁବନେଶ୍ୱର: ବର୍ଷ ୨୦୨୦ ସାରା ବିଶ୍ୱ ପାଇଁ ଆଣିଦେଇଥିଲା ଭୟ, ଆତଙ୍କ ଓ ଆର୍ଥିକ ଦୁରାବସ୍ଥା । ତେବେ ଯାହା ବି ହେଉ ବର୍ଷ ଶେଷ ହେଉଛି । ଆଉ ଦିନ କେଇଟାରେ ନୂଆ ବର୍ଷ ୨୦୨୧ ଧରାବତରଣ କରିବ । ଲୋକେ ୨୦୨୦ର ତାଡନାରେ ଅତିଷ୍ଠ ହୋଇ ଆତୁରରେ ନୂଆ ବର୍ଷକୁ ଅପେକ୍ଷା କରିଛନ୍ତି । ତେବେ ଆଗାମୀ ବର୍ଷଟି କିପରି ରହିବ, ତାକୁ ନେଇ ଭବିଷ୍ୟତ ଗାଣିତିକ କଣ କହୁଛନ୍ତି ଆସନ୍ତୁ ଜାଣିବା ।
ରାଜନୈତିକ ସ୍ଥିତି: ୨୦୨୦ର ରାଜନୀତି ଉପରେ ନଜର ପକାଇଲେ ଏହା ଏକପ୍ରକାର ଏକପାଖିଆ ରହିଥିଲା । ୨୦୨୧ରେ ସ୍ଥିତି ସମାନ ରହିବ । କୃଷି, ମୁଦ୍ରା, ଗ୍ରାହକ ସେବା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ପାରନ୍ତି ।
କ୍ୟାରିୟର ଓ ବ୍ୟବସାୟ: ଏହି ଦିଗରେ ୨୦୨୧ ବର୍ଷଟି ଅନୁକୂଳ ଓ ଆଶାବାଦୀ ରହିବ । ମିଥୁନ, ଧନୁ ଓ ବିଛା ରାଶିର ଲୋକଙ୍କୁ ବର୍ଷର ପ୍ରଥମ ୩ ମାସ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ରହିବାକୁ ହେବ । କାରଣ ଚନ୍ଦ୍ରମା ପୁଷ୍ୟ ନକ୍ଷେତ୍ର ଓ ଲଗ୍ନ ହସ୍ତ ନକ୍ଷେତ୍ରରେ ଚଳନ କରିବାକୁ ଯାଉଛି । ତେବେ ଆର୍ଥିକ ଓ ବ୍ୟବସାୟିକ ଜୀବନ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ରହିବ । ବୁଧ ଓ ସୂର୍ଯ୍ୟ ଏକା ସାଙ୍ଗରେ ଚତୁର୍ଥ ଘରେ ଅବସ୍ଥାନ କରିବାରୁ ଲୋକଙ୍କ ପାଇଁ ବର୍ଷଟି ଶୁଭଙ୍କର ହେବ । କ୍ୟାରିୟର ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକେ ଲାଭାନ୍ୱିତ ହେବେ ।
ବୈଶ୍ୱିକ ଆର୍ôଥକ ସଂକଟ: ଭାରତରେ ଆର୍ଥିକ ମାନ୍ଦାବସ୍ଥାର ବିଭିନ୍ନ କାରଣ ରହିଛି । ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଭାରତର ଏହି ଆର୍ଥିକ ସଂକଟ ୨୦୨୨ ପୂର୍ବରୁ ସୁଧୁରିବାର ନାହିଁ । ୨୦୨୦ ଓ ୨୦୨୧ ବର୍ଷରେ ମକର ରାଶିରେ ଶନି ଓ ବୃହସ୍ପତିଙ୍କ ଯୋଡି ଆର୍ଥିକ ମାନ୍ଦାବସ୍ଥାକୁ ଆହୁରି ବଢାଇଦେବ । ଏହି ଯୋଡି ପାଇଁ ବିଶ୍ୱ ମାନ୍ଦାବସ୍ଥା ମଧ୍ୟ ବୃଦ୍ଧି ପାଇବ । ସାରା ବିଶ୍ୱରେ ଆର୍ଥିକ, ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ଆଣିବ ।
କରୋନାର ସ୍ଥିତି: ଜ୍ୟୋତିର୍ବିତଙ୍କ ଅନୁଯାୟୀ, କରୋନା ସଂକ୍ରମଣ ୨୦୨୦ ଡିସେମ୍ବରରୁ ଜାନୁଆରୀ ୨୦୨୧ ମଧ୍ୟରେ ହ୍ରାସ ପାଇବ । ଏହି ସମୟରେ ଜୀବନ ପୂର୍ବ ପରି ସ୍ୱାଭାବିକ ହେବାର ସମ୍ଭାବନା ରହିଛି । କୋଭିଡ ଯୁଦ୍ଧରେ ଶୀଘ୍ର ସମାଧାନର ବାଟ ବାହାରିବ । ତେବେ ୨୦୨୧ର ପ୍ରଥମ ତିନି ମାସରେ କରୋନାର ପ୍ରଭାବ ରହିବ ।
ବିଶ୍ୱରେ ଭାରତର ସ୍ଥିତି: ୨୦୨୧ ବର୍ଷଟି ବୁଧ ଗ୍ରହର ବର୍ଷ । ବୁଧର ବକ୍ର ଚାଲି ମହତ୍ୱପୂର୍ଣ୍ଣ ହୋଇପାରେ । ଫଳରେ ସଂଚାର ଉଦ୍ୟୋଗ ଉପରେ ଏହାର ଶୁଭ ଫଳ ରହିବ । ସେହିପରି ଭାରତର ବିଦେଶ ନୀତି ସୁଦୃଢ ହେବ ଓ ଅନ୍ୟ ଦେଶମାନଙ୍କ ସହ ସମ୍ପର୍କ ଆହୁରି ଭଲ ହେବ ।