ନୂଆଦିଲ୍ଲୀ: ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ଆକ୍ରମଣରେ ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଦେଶରେ ଚୀନ ବିରୋଧୀ ହାୱା ଦେଖିବାକୁ ମିଳିଛି ।ଦେଶବାସୀ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଆଗଭର ହୋଇଛନ୍ତି । ସରକାର ମଧ୍ୟ ଏହି ଦିଗରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଚୀନକୁ ବଏକଟ କରାଯାଉଛି। ଏହି କ୍ରମରେ, ଭାରତୀୟ ରେଳ ମନ୍ତ୍ରାଳୟ ଅଧୀନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ୍ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନର ବେଜିଂ ସିଗନାଲ ଆଣ୍ଡ କମ୍ୟୁନିକେସନ ଲିଃ ଅଧିନସ୍ଥ ନ୍ୟାସନାଲ ରେଲେଓ୍ଵ ରିସର୍ଚ୍ଚ ଆଣ୍ଡ ଡିଜାଇନକୁ ଦିଆଯାଇଥିବା ପ୍ରକଳ୍ପକୁ ରଦ୍ଦ କରାଯାଇଛି । କାର୍ୟ୍ୟରେ ବିଶେଷ ଅଗ୍ରଗତି ହେଉନଥିବାରୁ ଏହି ପ୍ରକଳ୍ପକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି । ୪୭୧ କୋଟିର ଏହି ପ୍ରକଳ୍ପ ୨୦୧୬ ମସିହାରେ ଚୀନ କମ୍ପାନିକୁ ଦିଆଯାଇଥିଲା । ପ୍ରକଳ୍ପଟି ୨୦୧୯ରେ ଶେଷ ହେବାକୁ ଥିଲେ ମଧ୍ୟ ଏପର୍ୟ୍ୟନ୍ତ ମାତ୍ର ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି । ଏଣୁ ଏହାକୁ ରଦ୍ଦ କରାଗଲା ବୋଲି ଡିଏଫସିସିଆଇଏଲ ପକ୍ଷରୁ କୁହାଯାଇଛି ।
